ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓଟି ବନ୍ଧୁତା, କରୁଣା ଏବଂ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସ୍ଥାପନ କରୁଛି। ଭିଡିଓରେ, ଦେଖିବାକୁ ମିଳିଛି କର୍କଟ ରୋଗ ସହିତ ଲଢ଼ୁଥିବା ଜଣେ ଛାତ୍ରୀର ସମର୍ଥନରେ କିଭଳି ପୁରା ବିଦ୍ୟାଳୟ ଏକାଠି ହୋଇଛି। ଯେଉଁଥିରେ କି ସ୍କୁଲର ଅନ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ କର୍କଟ ପୀଡିତ ଝିଅକୁ ସମର୍ଥନ କରି ଲଣ୍ଡା ହୋଇଛନ୍ତି। ଏହି ଘଟଣାଟି ହେଉଛି ରାଜସ୍ଥାନର ଯୋଧପୁର ଜିଲ୍ଲାର।
ସୂଚନା ମୁତାବିକ,ଯୋଧପୁର ଜିଲ୍ଲାର ଏକ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସା ଯୋଗୁଁ ସେ ତାଙ୍କ କେଶ ହରାଇଛନ୍ତି। ଏଭଳି ସ୍ଥିତିରେ ଝିଅଟିକୁ ଉତ୍ସାହିତ କରିବା ପାଇଁ ଯେପରି ତାଙ୍କୁ ଏକା ଅନୁଭବ ହେବନି, ସେଥିପାଇଁ ସ୍କୁଲ ଅନ୍ୟ ଛାତ୍ରୀମାନେ ମଧ୍ୟ ଲଣ୍ଡା ହୋଇଛନ୍ତି। ଏପରିକି ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ପୀଡିତା ଛାତ୍ରୀଙ୍କ ମନୋବଳ ବଢାଇବା ପାଇଁ ଛୁଟି କାଟି ଲଣ୍ଡା ହୋଇଛନ୍ତି।
ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓଟି ଯୋଧପୁରର ଏକ ସ୍କୁଲର ବୋଲି ଦାବି କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ। ତେବେ ଭିଡିଓଟି ଭାଇରାଲ ହେବା ପରେ, ଦେଶବ୍ୟାପୀ ଲୋକେ ଏହାକୁ ପ୍ରଶଂସା କରୁଛନ୍ତି।
ସ୍କୁଲ୍ ଏପରି କାହିଁକି କଲା ?
ଝିଅଟି କେଶ ଝଡ଼ିବା ଯୋଗୁଁ ହତାଶ ଏବଂ ବିରକ୍ତ ଦେଖାଯାଉଥିଲା। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ତାକୁ ଉତ୍ସାହିତ କରିବା ପାଇଁ ଲଣ୍ଡା ହୋଇଛନ୍ତି। ଝିଅଟିର ଗମ୍ଭୀର ରୋଗ ହୋଇଥିବାରୁ ତାକୁ ନିରାଶ ନକରିବା ପାଇଁ, ଛାତ୍ର ଏବଂ ଶିକ୍ଷକମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଥିଲେ। ଏହି ଭାଇରାଲ ଭିଡିଓଟି କେବଳ ଏକ ଭାବପ୍ରବଣ ମୁହୂର୍ତ୍ତ ନୁହେଁ, ବରଂ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି, ଯେତେବେଳେ କେହି ଆପଣଙ୍କ କଷ୍ଟ ସମୟରେ ଆପଣଙ୍କ ସହିତ ଠିଆ ହୁଅନ୍ତି, ସେତେବେଳେ ଯନ୍ତ୍ରଣା କମିବା ପରି ମନେ ହୁଏ।