ଶ୍ରୀନଗର: ଜାମ୍ମୁ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଡୋଡା ଜିଲ୍ଲାରେ ଏକ ଘାଇକୁ ସେନାର ଗାଡ଼ି ଖସିପଡ଼ିବା ଫଳରେ ଯବାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ।
ଡୋଡା ଜିଲ୍ଲାର ଭଡେରୱାହ-ଚାମ୍ବା ରାସ୍ତାର ଖନ୍ନି ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବୁଲେଟ୍ ପ୍ରୁଫ୍ ସେନା ଗାଡ଼ିରେ ମୋଟ ୧୭ ଜଣ ଯବାନ ଥିଲେ । ଗାଡ଼ିଟି ଏକ ଘାଇ ନିକଟରେ ଚାଳକ ଭାରସାମ୍ୟ ହରାଇ ପ୍ରାୟ ୨୦୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଭାରତୀୟ ସେନା ଏବଂ ଜାମ୍ମୁ କଶ୍ମୀର ପୋଲିସ ସହାୟତାରେ ଉଦ୍ଧାରକାର୍ୟ୍ୟ କରାଯାଇଥିଲା । ଘଟଣାସ୍ଥଳରୁ ୪ ଜଣ ଯବାନଙ୍କ ମୃତ ଦେହ ମିଳିଥିଲା । ଅନ୍ୟ ୯ ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଧମପୁରସ୍ଥିତ ସେନା ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି।
ଗତ ୮ ତାରିଖରେ ଗୁଲମାର୍ଗ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ସେନା ଯବାନ ଖସିଯାଇ ଏକ ଗଭୀର ଘାଟିରେ ପଡ଼ିଯାଇଥିଲେ। ସେମାନେ ଅନିତା ପୋଷ୍ଟ ଆଡକୁ ଯାଉଥିଲେ। ଦୁଇ ଦିନର ସର୍ଚ୍ଚ ଅପରେସନ୍ ପରେ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାମ ଲିଆକତ ଅହମ୍ମଦ ଦିଦାର୍ଦ (୨୭ ) ଏବଂ ଇଶଫାକ ଅହମ୍ମଦ ଖାତାନା (୩୩) । ଉଭୟ ବାରାମୁଲ୍ଲା ଜିଲ୍ଲାର ବାସିନ୍ଦା ଅଟନ୍ତି ।