ବେଙ୍ଗାଲୁରୁ: ଦେଶରେ ରାଜ୍ୟପାଳ ବନାମ ସରକାର ମଧ୍ୟରେ ଟଣାଓଟରା ସ୍ଥିତି ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏମିତି ସ୍ଥିତି ଉପୁଜିବାରେ ଲାଗିଛି । ଏବେ କର୍ଣ୍ଣାଟକରେ ନୂଆ ଅଧ୍ୟାୟ ଯୋଡି ହୋଇ ଯାଇଛି । କର୍ଣ୍ଣାଟକର ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନ ନିଜର ଭାଷଣ ସମୟରେ କେବଳ ଦୁଇ ଧାଡି ପଢି କକ୍ଷ୍ୟ ତ୍ୟାଗ କରିଛନ୍ତି । ରାଜ୍ୟପାଳ ସଦସ୍ୟଙ୍କ ଅଭିବାଦନ କରିବା ପରେ କହିଛନ୍ତି ମୋତେ ମିଳିତ ଅଧିବେଶନକୁ ସମ୍ବୋଧିତ କରି ଦୁଃଖ ଲାଗୁଛି ।
ସେ ହିନ୍ଦୀରେ କହିଛନ୍ତି, ମୋର ସରକାର ରାଜ୍ୟର ଆର୍ଥିକ, ସାମାଜିକ ଏବଂ ଭୌତିକ ବିକାଶକୁ ଦୁଇ ଗୁଣ କରିବା ପାଇଁ ପ୍ରତିବଦ୍ଧ । ଜୟ ହିନ୍ଦ, ଜୟ କର୍ଣ୍ଣାଟକ । ରାଜ୍ୟପାଳଙ୍କ ଦ୍ୱାରା ଭାଷଣକୁ ସଂକ୍ଷିପ୍ତ କରାଯିବା ନେଇ କଂଗ୍ରେସ ସଦସ୍ୟ କଡା ଆପତ୍ତି ପ୍ରକାଶ କରିବା ସହ ଗୃହରେ ବିଧାୟକମାନେ ନାରାବାଜି କରିଛନ୍ତି । ଏହି ଅପ୍ରତ୍ୟାଶିତ ଘଟଣା ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଓ ରାଜଭବନ ମଧ୍ୟରେ ଚାଲିଥିବା ତିକ୍ତତା ସଂପର୍କକୁ ପୁଣି ଥରେ ଉଜାଗର କରିଛି ।
ବିବାଦର ମୁଖ୍ୟ କାରଣ
ବିବାଦର ମୁଖ୍ୟ କାରଣ ରାଜ୍ୟ ସରକାର ଦ୍ୱାରା ପ୍ରସ୍ତୁତ ଅଭିଭାଷଣରେ ସାମିଲ ୧୧ ନମ୍ବର ପାରାଗ୍ରାଫ ଥିଲା । ରିପୋର୍ଟ ଅନୁଯାୟୀ, ଏହି ପାରାଗ୍ରାଫରେ କେନ୍ଦ୍ର ସରକାର ଓ ଏହାର ନୀତିର କଡା ସମାଲୋଚନା କରାଯାଇଥିଲା । ସବୁଠୁ ବଡ ବିବାଦ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଭିବି ଜି ରାମ ଜିକୁ ନେଇ ଥିଲା । କର୍ଣ୍ଣାଟକ ସରକାର ଭାଷଣରେ ମନରେଗାର ପରିବର୍ତ୍ତନକୁ ବିରୋଧ କରିବା ସହ ଏହାକୁ ଗରିବଙ୍କ ଅଧିକାରର ହନନ ଦର୍ଶାଇଥିଲା ।
ରାଜ୍ୟପାଳ ଗେହଲଟ ଭାଷଣକୁ ମଞ୍ଜୁରୀ ଦେବା ପୂର୍ବରୁ ୧୧ତମ ପାରାଗ୍ରାଫକୁ ହଟାଇବା କିମ୍ବା ବଦଳାଇବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଭାଷଣରେ କୌଣସି ପରିବର୍ତ୍ତନକୁ ମନା କରିଥିଲେ । ସେମାନଙ୍କ ଯୁକ୍ତି ଏହା ରାଜ୍ୟ ସରକାରଙ୍କ ନୀତି ଏବଂ ବିଚାରକୁ ପ୍ରତିଫଳିତ କରେ, ଯାହାକୁ ପଢିବା ରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱ ।
ଗୃହରେ କଣ ଘଟିଲା ?
ଗୁରୁବାର ସକାଳେ ଯେବେ ରାଜ୍ୟପାଳ ଗେହଲଟ ବିଧାନସଭା ଭବନ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ବାଚସ୍ପତି ତାଙ୍କର ସ୍ୱାଗତ କରିଥିଲେ । ଆଶା ଥିଲା ଗତ କିଛି ଦିନ ଧରି ଚାଲିଥିବ ଗତିରୋଧରେ ପୂର୍ଣ୍ଣଛେଦ ପଡିବ । ରାଜ୍ୟପାଳ ନିଜ ଆସନ ଗ୍ରହଣ କରିଥିଲେ, ସଦସ୍ୟଙ୍କୁ ନମସ୍କାର କହିବା ସହ ଅଭିଭାଷଣର ଆରମ୍ଭର ଦୁଇ ଧାଡି ପଢିଥିଲେ । ପୁଣି ଭାଷଣକୁ ପଢାଯାଇଥିବା କହି ସେଠାରୁ ଉଠି ଆସିଥିଲେ । ଏହି ସମୟରେ କଂଗ୍ରେସ ବିଧାୟକ ବିରୋଧ କରିବା ସହ ରାଜ୍ୟପାଳଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ଏହାକୁ କର୍ଣ୍ଣାଟକ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।
Also read: 'ଦୁର୍ଘଟଣା ପୂର୍ବରୁ ବିମାନଟି ଅନେକ ଥର ଖରାପ ହୋଇଥିଲା...'