ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ବିବାଦୀୟ ଭୋଜଶାଳାରେ ବସନ୍ତ ପଞ୍ଚମୀ ଦିନ ପୂଜା ସହିତ ନମାଜ ପାଠ ବି ହେବ । ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇ କହିଛନ୍ତି, ହିନ୍ଦୁଙ୍କୁ ସୁର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୂଜା କରିବାକୁ ଅନୁମତି ହେବ । ଅନ୍ୟପଟେ ମୁସଲମାନଙ୍କୁ ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ଶୁକ୍ରବାର ନଜାମ ପାଠ କରିବାକୁ ଅନୁମତି ଦିଆଯିବ ।
ଦେଶର ସର୍ବୋଚ୍ଚ ଅଦାଲତ ଭୋଜଶାଳାରେ ପୂଜାର୍ଚ୍ଚନା ପାଇଁ ଆଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ କିଛି ଉପାୟ ମଧ୍ୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ବିବାଦୀୟ ଭୋଜଶାଳାରେ ନମାଜ ପାଇଁ ଆସୁଥିବା ମୁସଲିମ ସମୁଦାୟ ବ୍ୟକ୍ତିଙ୍କ ସଂଖ୍ୟା ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଉ ।
ଉଲ୍ଲେଖନୀୟ ହିନ୍ଦୁ ସମୁଦାୟ ଭୋଜଶାଳାକୁ ବାଗଦେବୀ ସରସ୍ୱତୀଙ୍କ ମନ୍ଦିର ମାନିଥାଏ । ଅନ୍ୟପଟେ ମୁସଲିମ ସଂପ୍ରଦାୟ ଏହାକୁ କମାଲ ମୌଲା ମସଜିଦ କହିଥାଏ । ଏଏସଆଇର ୨୦୦୩ ଏପ୍ରିଲ ୭ରେ ଜାରି ବ୍ୟବସ୍ଥା ମୁତାବକ ହିନ୍ଦୁଙ୍କୁ ପ୍ରତି ମଙ୍ଗଳବାର ଭୋଜଶାଳାରେ ପୂଜା କରିବାକୁ ଅନୁମତି ମିଳିଥିବା ବେଳେ ମୁସଲମାନଙ୍କୁ ପ୍ରତି ଶୁକ୍ରବାର ଏଠାରେ ନମାଜ ପଢିବା ପାଇଁ ଅନୁମତି ଦିଆଯାଇଛି । ଗତ ୨୩ ବର୍ଷ ଧରି ଏହି ବ୍ୟବସ୍ଥା ଚାଲି ଆସିଛି । ଏଥର ଶୁକ୍ରବାର ବସନ୍ତ ପଞ୍ଚମୀ ଥିବା କାରଣରୁ ପ୍ରଶାସନ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି ।
ଏହା ପୂର୍ବରୁ ୨୦୧୬ରେ ମଧ୍ୟ ବସନ୍ତ ପଞ୍ଚମୀ ଶୁକ୍ରବାର ଦିନ ପଡିଥିଲା । ସେହି ସମୟରେ ମଧ୍ୟ ଭୋଜଶାଳାରେ ପୂଜା ଓ ନମାଜ ସମୟକୁ ନେଇ ବିବାଦ ଉପୁଜିଥିଲା । ସ୍ଥାନୀୟସ୍ତରରେ ବିରୋଧ ପ୍ରଦର୍ଶନ ଏବଂ ଝଗଡା ହୋଇଥିଲା । କିନ୍ତୁ ଏଥର ପ୍ରଶାସନ ପୂର୍ବରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
Also read: ଆତଙ୍କୀଙ୍କ '୨୬-୨୬' ପରି ପ୍ଲାନିଂ, ଟାର୍ଗେଟରେ ବଡ ମନ୍ଦିର; ଦିଲ୍ଲୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ଆଲର୍ଟ