ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ତରଫରୁ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ମହୋତ୍ସବ ସମୟରେ ଶୃଙ୍ଖଳା ଏବଂ ସାଂସ୍କୃତିକ ପବିତ୍ରତା ବଜାୟ ରଖିବା ନେଇ ବିଏମସି ସୂଚନା ଦେଇଛି।
ବିଏମସିର ବରିଷ୍ଠ ଅଧିକାରୀ, ପୋଲିସ ପ୍ରତିନିଧି, କର୍ପୋରେଟର ଏବଂ ସ୍ଥାନୀୟ ଅଂଶୀଦାରମାନ ଙ୍କ ଅଧିନରେ ଅନୁଷ୍ଠିତ ବୈଠକରେ ଦକ୍ଷିଣ-ପୂର୍ବ ଜୋନ୍ କାର୍ଯ୍ୟାଳୟରେ ସମସ୍ତ ଯାତ୍ରା କମିଟି ମାନଙ୍କୁ ଆଜି ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଚଳିତ ବର୍ଷ ଜାନୁଆରୀ ୨୫ ରୁ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଏହି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା। ଏହି ମେଳାକୁ ପ୍ରତିବର୍ଷ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି। ମେଳା କେବଳ ଏକ ଧାର୍ମିକ ସମାବେଶ ନୁହେଁ ବରଂ ଏକ ସାଂସ୍କୃତିକ ଐତିହ୍ୟ କାର୍ଯ୍ୟକ୍ରମ ଅଟେ। ତେଣୁ ଏହାକୁ ମର୍ଯ୍ୟାଦାର ସହିତ ପରିଚାଳନା କରାଯିବା ଉଚିତ ବୋଲି ବିଏମସି ତରଫରୁ କୁହାଯାଇଛି।
ଏଥିସହିତ ବିଏମସି ଦ୍ୱାରା ଜାରି କରାଯାଇଥିବା SOP ରେ ବିଶେଷ ଭାବରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ, ଅଶ୍ଳୀଳ ସଂଳାପ ଏବଂ ଆଇଟମ୍ ନମ୍ବରକୁ ନିଷିଦ୍ଧ କରାଯାଇଥିବା ଜଣାପଡ଼ିଛି। ଏହି ନିୟମ ଗୁଡ଼ିକୁ ଉଲ୍ଲଂଘନ କରୁଥିବା ଦଳ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କର କାର୍ଯ୍ୟକ୍ରମ ବାତିଲ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମଧ୍ୟ କୁହାଯାଇଛି। ବିଏମସି ଅଧିକାରୀମାନେ କହିଛନ୍ତି ଯେ ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ଖଣ୍ଡଗିରି ଯାତ୍ରାକୁ ପାରମ୍ପରିକ ଭାବନା ସହିତ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସାଂସ୍କୃତିକ ସମ୍ମାନଜନକ ଭାବରେ ପରିଚାଳନା କରିବା।
ଅଧିକ ପଢନ୍ତୁ: ରାଜ୍ୟର ସବୁ ବରିଷ୍ଠ ଅଧିକାରୀଙ୍କୁ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ; କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ଦେଲେ ନିର୍ଦ୍ଦେଶ