ନବରଙ୍ଗପୁର: ସ୍ୱାମୀ ଆରପାରିକୁ ଚାଲିଯିବାର ୬ ବର୍ଷ ବିତି ଗଲାଣି ହେଲେ ବିଧବା ମହିଳାଙ୍କୁ ନାଁ ମିଳୁଛି ଭତ୍ତା ନାଁ ଚାଉଳ । ବେସାହାରା ହୋଇ ନିଜ ବିଧବା ଝିଅ ଘରେ ଆଶ୍ରୟ ନେଇଛନ୍ତି । ସରକାର ମହିଳାଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏ ବୃଦ୍ଧା ମହିଳାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ହାତିବାରି ଗ୍ରାମର ଘାସିନୀ ଯାନୀଙ୍କୁ ମିଳୁନି ବିଧବା ଭତ୍ତା ଓ ଚାଉଳ ।
ଘାସିନୀଙ୍କ ସ୍ୱାମୀଙ୍କ ଚାଲିଯିବାର ୬ ବର୍ଷ ବିତିଗଲାଣି । ହେଲେ ଏ ଯାଏ ଭତ୍ତା ଟିଏ ମିଳି ପାରିଲା ନାହିଁ । ସ୍ୱାମୀ ଚାଲିଯିବା ପରେ ନିଜ ବିଧବା ଝିଅ ଘରେ ଆଶ୍ରୟ ନେଇଛନ୍ତି । ଝିଅ ମଜୁରୀ କରି ପରିବାର ଚଳାଉଛି । କିନ୍ତୁ ଯାହା ଆଣୁଛନ୍ତି ତାହା ପେଟକୁ ନିଅଣ୍ଟ । ଘାସିନୀ ଭତ୍ତା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ଭତ୍ତା ଟଙ୍କା ପାଇ ପାରି ନାହାଁନ୍ତି । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ସ୍ଥାନୀୟ ସରପଞ୍ଚ କିମ୍ବା ପ୍ରସାଶନିକ ଅଧିକାରୀଙ୍କ କେମିତି ଘାସିନୀଙ୍କ ଉପରେ ନଜର ପଡୁ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ପ୍ରଶାସନ ଏହି ବୃଦ୍ଧଙ୍କ ପ୍ରତି ଦୃଷ୍ଟିଦେଇ ବିଧବା ଭତ୍ତା ଓ ଚାଉଳ ଦେଲେ ପରିବାର ଚଳିବାକୁ ସହାୟକ ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।