ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ପୁଣିଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସୁରକ୍ଷା ଏବଂ ସଦ୍ଭାବରେ ପରିପୂର୍ଣ୍ଣ ହେବ।
ଗଣତନ୍ତ୍ର ଦିବସ ଅବସରରେ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗଣତନ୍ତ୍ର ଦିବସର ପବିତ୍ର ପର୍ବ ଆମକୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଆମ ଦେଶର ଅବସ୍ଥା ଏବଂ ଦିଗ ଉପରେ ଚିନ୍ତନ କରିବାର ସୁଯୋଗ ପ୍ରଦାନ କରେ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମେ ସାମ୍ବିଧାନିକ ଆଦର୍ଶ ଦିଗରେ ଆମର ଗଣରାଜ୍ୟକୁ ଆଗକୁ ବଢାଇବା ଆରମ୍ଭ କରିଥିଲୁ। ଏହି ଦିନ ଆମର ସମ୍ବିଧାନ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିଲା। ଗଣତନ୍ତ୍ରର ମାତୃଭୂମି ଭାରତ ଉପନିବେଶବାଦୀ ଶାସନର ଆଇନରୁ ମୁକ୍ତ ହୋଇଥିଲା ଏବଂ ଆମର ଗଣତାନ୍ତ୍ରିକ ଗଣରାଜ୍ୟ ଅସ୍ତିତ୍ୱ ପାଇଥିଲା। ଆମର ସମ୍ବିଧାନ ବିଶ୍ୱ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ଗଣରାଜ୍ୟର ମୂଳଦୁଆ। ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା, ଭ୍ରାତୃତ୍ବର ଆଦର୍ଶ ଆମ ଗଣରାଜ୍ୟକୁ ପରିଭାଷିତ କରେ। ଏହି ଆଦର୍ଶଗୁଡ଼ିକ ସମ୍ବିଧାନର ପ୍ରତିଷ୍ଠାତା ପୂର୍ବପୁରୁଷଙ୍କ ଆତ୍ମା ଏବଂ ଆମ ଦେଶର ଏକତାର ମୂଳଦୁଆ।
ସେ କହିଥିଲେ ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ରାଷ୍ଟ୍ରର ନବନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସେବାରେ ଜନ ପ୍ରତିନିଧିମାନେ କାମ କରୁଛନ୍ତି। ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ମହିଳା ସଶକ୍ତିକରଣର ଏହା ବରିଷ୍ଠ ଉଦାହରଣ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବଢୁଛି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗଣତନ୍ତ୍ର ଦିବସରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ଭାରତର ଗର୍ବ ଏବଂ ଗୌରବର ପ୍ରତୀକ ଏହି ଜାତୀୟ ପର୍ବ, ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ। ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ।
ଅଧିକ ପଢ଼ନ୍ତୁ: ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ