ନୂଆଦିଲ୍ଲୀ: ବିଶିଷ୍ଟ ବ୍ରିଟେନ ଖବରଦାତା, ବରିଷ୍ଠ ସାମ୍ବାଦିକ ଏବଂ ଲେଖକ ମାର୍କ ଟୁଲିଙ୍କର ପରଲୋକ ହୋଇଛି। ଆଜି (ରବିବାର) ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ୯୦ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ଏନେଇ ତାଙ୍କ ଘନିଷ୍ଠ ବନ୍ଧୁ ସତୀଶ ଜାକବ ସମ୍ବାଦ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି।
ମାର୍କ ଟୁଲି ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ସପ୍ତାହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ବିବିସି ଇଣ୍ଡିଆର ଥିଲେ ବ୍ୟୁରୋ ଚିଫ୍। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ମାର୍କ ଟୁଲିଙ୍କ ଜନ୍ମ କୋଲକାତାରେ ହୋଇଥିଲା। ସେ ଦୀର୍ଘ ୨୨ ବର୍ଷ ଧରି ବିବିସିର ନୂଆ ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ବିବିସି ରେଡିଓ ୪ କାର୍ଯ୍ୟକ୍ରମ "ସମଥିଂ ଅଣ୍ଡରଷ୍ଟୁଡ୍"ର ଜଣେ ପ୍ରସିଦ୍ଧ ଲେଖକ ଏବଂ ଉପସ୍ଥାପକ ମଧ୍ୟ ଥିଲେ। ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ସେ ଭାରତ ପାଇଁ ଗର୍ବ ଅନୁଭବ କରିଥିବା କହିଛନ୍ତି।
ମାର୍କ ଟୁଲି ଭାରତ ଉପରେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ 'ନୋ ଫୁଲ୍ ଷ୍ଟପ୍ସ ଇନ୍ ଇଣ୍ଡିଆ', 'ଇଣ୍ଡିଆ ଇନ୍ ସ୍ଲୋ ମୋସନ୍' ଏବଂ 'ଦି ହାର୍ଟ ଅଫ୍ ଇଣ୍ଡିଆ' ଅନ୍ତର୍ଭୁକ୍ତ।
ଅଧିକ ପଢନ୍ତୁ: ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର