କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଲବ୍ଧି ଓ ସଫଳତା ବଖାଣିଥିଲେ। ଏହି ଅବସରରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି ନଗର କଟକର ବିଶାଳ ହୃଦୟ ଉପରେ ଠିଆ ହୋଇଛୁ। କଟକ କେବଳ ଏକ ପୁରାତନ ସହରର ନାଁ ନୁହେଁ, ଏହା ଆମ ଉତ୍କଳୀୟ ସଂସ୍କୃତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତୀକ। କଟକର ଏହି ଗରିମାମୟ ମାଟିର ବାରବାଟୀ ଷ୍ଟାଡିୟମରେ ଆମେ ଆଜି ଆମ ପବିତ୍ର ସମ୍ବିଧାନର ଅସୀମ ଶକ୍ତି ଓ ଦୃଢ଼ତାଭରା ସମୟକୁ ଉତ୍ସାହ ଓ ଆବେଗର ସହ ପାଳନ କରୁଛୁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା। ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ। ଏହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି।ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଛୁ। ବାଲିଯାତ୍ରାକୁ ୟୁନେସ୍କୋର ମାନ୍ୟତା ପାଇଁ ଉଦ୍ୟମ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମହିଳା ବିରୋଧୀ ହିଂସାକାରୀଙ୍କୁ ବି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ୍। ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବନି। ଯେପର୍ଯ୍ୟନ୍ତ ମହିଳାଙ୍କ ବିକାଶ ହେବନି, ରାଜ୍ୟର ବିକାଶ ହୋଇପାରିବନି। ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ। ତେଣୁ ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ଓ ଆମର ଶୂନ୍ୟ ସହନଶୀଳତା ନୀତି। ମହିଳା ହିଂସାରେ ପୂର୍ବ ସରକାର ସମୟରେ ଦଣ୍ଡବିଧାନ ହାର କମ୍ ଥିଲା। ହେଲେ ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୮୦ ମସିହା ପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଏତେ କମ ରହୁଥିଲା ଯେ ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ତାତ୍ସଲ୍ୟ କରି ଭାରତର ଅଭିବୃଦ୍ଧିକୁ ‘ହିନ୍ଦୁ ଅଭିବୃଦ୍ଧି ହାର’ କହୁଥିଲେ। କିନ୍ତୁ, ୨୦୧୪ ପରେ ଏହି ମାନସିକତାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶ ଏକ ନୂତନ ବିକାଶର ମାର୍ଗରେ ଚାଲିବା ଆରମ୍ଭ କରିଛି। ଆଜି ମୋଦୀଙ୍କ ପାଇଁ ଦେଶର ଅର୍ଥନୀତିକୁ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିଛି, ଯାହା ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଗତ ପ୍ରାୟ ୧୯ ମାସ ହେବ ଓଡିଶା ବି ଏହି ଦ୍ରୁତ ବିକାଶର ଯାତ୍ରୀ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ତଥା ଅସୀମ ଆଶୀର୍ବାଦକୁ ପାଥେୟକରି ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟକରୁଛି। ଆମର ଲକ୍ଷ୍ୟ ହେଉଛି ଆସନ୍ତା ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡିଶା ଗଠନ କରିବା। ଯେତେବେଳେ ୨୦୩୬ ମସିହାରେ ଆମେ ସ୍ଵତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଆମ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବ। ଏହି ସ୍ଵପ୍ନକୁ ପୂରଣ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ଜିଲ୍ଲା ସମୃଦ୍ଧ ହେବା ଉଚିତ। ଅନ୍ୟଥା, ଏହି ପରିକଳ୍ପନାକୁ ସାକାର କରି ହେବ ନାହିଁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଅଧିକ ପଢନ୍ତୁ: କର୍ତ୍ତବ୍ୟ ପଥରେ ଉଡ଼ିଲା ତ୍ରିରଙ୍ଗା: ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ