ଭୁବନେଶ୍ୱର : ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ଏହି ଦିନ ତ୍ରିରଙ୍ଗା ରଙ୍ଗରେ ରଂଗୀନ ହୋଇଥାଏ ସାରା ଦେଶ। କର୍ତ୍ତବ୍ୟ ପଥରେ ଦମଦାର ଶକ୍ତିପ୍ରଦର୍ଶନ କରିଥାନ୍ତି ସାମରିକ ବାହିନୀ। ଆଜିର ଦିନରେ ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀର ସାହସ ଦେଖିଥାଏ ସାରା ଦେଶ।
ଇତିହାସ :
ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା। ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନୱେଲ୍ଥ ନେସନରେ ସଂଯୁକ୍ତ ହେଲା। ୧୫ ଅଗଷ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା।
ଏହାପରେ ଭାରତର ସମ୍ବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ। ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ। ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ। ସେହିଦିନ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା ହେଲା।
କିପରି ପାଳନ ହେବ ଆଜିର ଦିନ :
ତେବେ ଆଜି ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ। ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ। ଆଜି ଦୁନିଆ ଦେଖିବ ଭାରତର ଶକ୍ତି ଏବଂ ସାହସ। ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ। ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ରେ ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ। ତେବେ ଆଜିର ୭୭ ତମ ସାଧାରଣତନ୍ତ୍ର ଦିବସରେ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
ଅଧିକ ପଢନ୍ତୁ ; ଆଜି ବାରବାଟୀ ଷ୍ଟାଡିୟମରେରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।