ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହେବ ସୁରକ୍ଷିତ 'ଏଆଇ' ଭିତ୍ତିଭୂମି। ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ସୁସ୍ଥ ଓ ସୁରକ୍ଷିତ କୃତ୍ରିମ ବୁଦ୍ଧିମତା ବା ଏଆଇ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସରକାର। ଏଥିପାଇଁ ଦେଶର ପ୍ରମୁଖ ଏଆଇ କମ୍ପାନୀ ସର୍ଭମର ଅଧିକାରୀଙ୍କ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଦୀର୍ଘକାଳୀନ ସାଧାରଣ ଲୋକଙ୍କ ଦକ୍ଷତା ବୃଦ୍ଧି ସହ ରାଜ୍ୟର ନିଜସ୍ଵ ସାର୍ବଭୌମ୍ୟ ଭିତ୍ତିଭୂମି ସୃଷ୍ଟି କରିବା ନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ସହ ରାଜ୍ୟ ବୈଷୟିକ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ କମ୍ପାନୀ ଅଧିକାରୀଙ୍କ ସହ ଏଆଇର ଉପଯୋଗ ଏବଂ ରାଜ୍ୟ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଛନ୍ତି।
ବୈଠକରେ ରାଜ୍ୟ ସରକାର ରାଜ୍ୟରେ ଏକ ସୁରକ୍ଷିତ ଏଆଇ ଭିତ୍ତିଭୂମି ସୃଷ୍ଟି ସହ ରାଜ୍ୟର ଡାଟା ପରିଚାଳନା ଓ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ଏଆଇ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଡାଟା ପ୍ଲାଟଫର୍ମର ସୁରକ୍ଷାକୁ ନେଇ ଏକ ଏଆଇ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ଏଆଇରେ ଓଡ଼ିଶା ସଂପର୍କିତ ସୁରକ୍ଷିତ ତଥ୍ୟ, ଏଆଇ ମଡେଲ ଓ ଗୁଇନ୍ଦା ବ୍ୟବସ୍ଥା ତଥ୍ୟ ଯେପରି ତ୍ରୁଟିଶୂନ୍ୟ ହେବ ତାହାକୁ ଗୁରୁତ୍ୱ ଦିଆଯାଇଛି।
ଭଏସ ଏନବୁଲ ଏଆଇ ଆପ୍ଲିକେସନ:
ରାଜ୍ୟରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସେବା, ଇ-ଗଭର୍ଣ୍ଣାନ୍ସ ଓ ସର୍ବସାଧାରଣ ସୁରକ୍ଷା ନେଇ ସ୍ଵର ପରିଚାଳିତ ବା ଭଏସ ଏନବୁଲ ଏଆଇ ଆପ୍ଲିକେସନର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହି ଆପ୍ଲିକେସନ ଦ୍ୱାରା ରାଜ୍ୟର ତୃଣମୂଳସ୍ତର ପର୍ଯ୍ୟନ୍ତ ସରକାରଙ୍କ ବିକାଶମୂଳକ ଯୋଜନାର ସୁଫଳ ଓ ବାର୍ତ୍ତା ପହଞ୍ଚିପାରିବ। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ରହୁଥିବା ଅଳ୍ପଶିକ୍ଷିତ ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇପାରିବ। ଏହା ଦ୍ୱାରା ସାଧାରଣ ଗ୍ରାମୀଣ ଲୋକେ ଯୋଜନାର ସୁଫଳ ନେବା ସହ ନିଜ ଅଭିଯୋଗ ମଧ୍ୟ ସହଜରେ ଦାଖଲ କରିପାରିବେ।୫ରେ ଏମଓୟୁ ସ୍ବାକ୍ଷର ହେବ:
ଉଭୟ ପକ୍ଷର ଆଲୋଚନା ଉପଯୋଗୀ ଆପ୍ଲିକେସନର ବିକାଶ ପାଇଁ ଏକ ବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ବିଭାଗ ଗୁଡ଼ିକ ନିଜର ଡାଟା ପ୍ରସ୍ତୁତ କରିବା ସହ ପ୍ରାଥମିକତା କ୍ଷେତ୍ର ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ସହ ସରକାରୀ ଅଧିକାରୀଙ୍କ ତାଲିମ ନେଇ ମଧ୍ୟ ଆଲୋଚନା ହୋଇଛି। ଏହା ଦ୍ଵାରା ରାଜ୍ୟରେ ଦୀର୍ଘସ୍ଥାୟୀ ଏଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ। ଏଥିପାଇଁ ଆସନ୍ତା ଫେବୃଆରୀ ୫ ଓ ୬ ତାରିଖରେ ହେବାକୁ ଥିବା ବ୍ଲାକ ସ୍ନାନ ସମିଟ ଅବସରରେ ଏମଓୟୁ ସ୍ଵାକ୍ଷର ହେବ ବୋଲି ସୂଚନା ଦିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଓଡ଼ିଶା କେବଳ ଟେକ୍ନୋଲୋଜିକୁ ଅନୁକରଣ କରିବ ନାହିଁ ବରଂ ନୂଆ ଟେକ୍ନୋଲୋଜିକୁ ଆପଣାଇବାରେ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜିବ। ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ଏଆଇ ଅନ୍ୟ ରାଜ୍ୟ ପାଇଁ ମାଇଲଖୁଣ୍ଟ ହେବ। ଏହା ଦ୍ୱାରାଲୋକଙ୍କୁ ସେବା ପ୍ରଦାନ ସହଜ ହେବ।"
ଅଧିକ ପଢନ୍ତୁ: କଂଗ୍ରେସ ଛାଡ଼ିଲେ ମୋକିମଙ୍କ ସମର୍ଥକ, ୪୧ ଜଣଙ୍କ ସମୂହ ଇସ୍ତଫା