ମୁୁମ୍ବାଇ: ଓସ୍କାର ବିଜେତା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ନିକଟରେ ଦେଇଥିବା ନିଜର ବୟାନକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିବିସି ଏସୀୟନ ନେଟୱର୍କର ସାକ୍ଷାତକାରରେ ରେହମାନ କହିଥିଲେ, ଇଣ୍ଡଷ୍ଟ୍ରୀରେ ସାଂପ୍ରଦାୟିକତା ରହିଛି । ଏବେ ନିଷ୍ପତ୍ତି ଏମିତି ଲୋକ ନେଉଛନ୍ତି ଯେଉଁମାନେ କ୍ରିଏଟିଭି ନୁହନ୍ତି । ତାଙ୍କର ଏମିତି ବୟାନ ସାମାଜିକ ଗଣମାଧ୍ୟମ ଏବଂ ଫିଲ୍ମ ଜଗତରେ ବିତର୍କର କାରଣ ପାଲଟିଛି ।
ଏବେ ଏଆର ରେହମାନଙ୍କ ଏହି ବୟାନ ଉପରେ ଟିପ୍ପଣୀ କରିଛନ୍ତି ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ସେ କହିଛନ୍ତି ଇଣ୍ଡଷ୍ଟ୍ରୀରେ କେବେ ବି ଧର୍ମ ଆଧାରରେ ଭେଦଭାବ କରାଯାଏ ନାହିଁ । ବଲିଉଡରେ ସାଂପ୍ରଦାୟିକ ମାହୋଲ ନାହିଁ ।
ଆମ ଇଣ୍ଡଷ୍ଟ୍ରୀରେ ପ୍ରତ୍ୟେକ ଧର୍ମର ଲୋକ କାମ କରିଛନ୍ତି । ଆଜି ସେମିତି କିଛି ନାହିଁ । ପ୍ରକୃତରେ ଫିଲ୍ମ ଇଣ୍ଡଷ୍ଟ୍ରୀ କେବଳ ଏମିତି ଏକ ଇଣ୍ଡଷ୍ଟ୍ରୀ ଯେଉଁଠି ସାଂପ୍ରଦାୟିକ କରାଯାଏ ନାହିଁ । ଅରୁଣ ଗୋଭିଲ ଏହା ମଧ୍ୟ କହିଛନ୍ତି, ସଲମାନ ଖାନ, ଶାହରୁଖ ଖାନ ଓ ଆମିର ଖାନ ତ ପୁଣି ଇଣ୍ଡଷ୍ଟ୍ରୀରେ ରାଜ କରୁଛନ୍ତି । ଯଦି ଇଣ୍ଡଷ୍ଟ୍ରୀରେ ସାଂପ୍ରଦାୟିକ ଭାବନା ରହିଥାନ୍ତା ତେବେ ଏହି ଅଭିନେତା ଇଣ୍ଡଷ୍ଟ୍ରୀରେ କେମିତି ଷ୍ଟାର ହୋଇଥାନ୍ତେ ?
ସୂଚନାଯୋଗ୍ୟ, ଏ.ଆର. ରହମାନ କହିଥିଲେ ଯେ ସଂଗୀତ ଶିଳ୍ପରେ ନିଷ୍ପତ୍ତି ବର୍ତ୍ତମାନ ସୃଜନଶୀଳ ନଥିବା ଲୋକଙ୍କ ଦ୍ୱାରା ନିଆଯାଇଛି। ସେ ଏହା ମଧ୍ୟ କହିଥିଲେ ଯେ ଏହା କିଛି ସାମ୍ପ୍ରଦାୟିକ ପକ୍ଷପାତ ସହିତ ଜଡିତ ହୋଇପାରେ, କିନ୍ତୁ ଏପରି କିଛି ତାଙ୍କୁ ସିଧାସଳଖ ଜଣାଇ ଦିଆ ଯାଇନଥିଲା। ଯେତେବେଳେ ରହମାନଙ୍କ ବୟାନକୁ ନେଇ ବିବାଦ ବଢ଼ିଲା, ଗାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ଜାରି କରି କହିଥିଲେ ଯେ ତାଙ୍କର କାହାକୁ ଆଘାତ କରିବା ଉଦ୍ଦେଶ୍ୟ ନଥିଲା।
Also read: ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର