କଟକ: କଟକ ରେଳ ଷ୍ଟେସନ୍ରୁ ପାଖାପାଖି ୬୦ ନାବାଳକ ଉଦ୍ଧାର ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆରପିଏଫ୍ ସମସ୍ତଙ୍କୁ ଉଦ୍ଧାର କରିଛି ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ ଲାଗିଥିଲା । ଏହା ପରେ ସେଥିରୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ୫୯ ଜଣ ନାବାଳକ ବାହାରିଥିଲେ । ଏତେ ସଂଖ୍ୟକ ନାବାଳକଙ୍କୁ ଆରପିଏଫ୍ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ଆର୍ପିଏଫ୍ କର୍ମଚାରୀ ସମସ୍ତ ପିଲାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରାରୁ ଜଣା ପଡିଥିଲା ଯେ ସମସ୍ତେ ବିହାର ଆରାରିଆ ଜିଲ୍ଲାର ଅଟନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ଆସି ପୋଲିସକୁ କହିଥିଲେ ଯେ ଏମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଛନ୍ତି । କିନ୍ତୁ କାହା ପାଖରେ ବୈଧ ପ୍ରମାଣ ପତ୍ର ନ ଥିବା ଜଣାପଡ଼ିଛି ।
ଏହି ମାମଲାରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ହସ୍ତକ୍ଷେପ କରିଛନ୍ତି । ସମସ୍ତ ପିଲାଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ସିଡବ୍ଲୁସି ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ଏମାନେ କାହିଁକି ଓଡ଼ିଶା ଆସିଛନ୍ତି ଏବଂ କେଉଁ କାମ ପାଇଁ ଆସିଛନ୍ତି ସେ ନେଇ ଯାଞ୍ଚ ଜାରି ରହିଛି ।
ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ମଧ୍ୟ କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଆରପିଏଫର 'ଅପରେସନ୍ ନାନ୍ହେ ଫରିସ୍ତେ' ଅଧୀନରେ ନାବାଳକମାନଙ୍କୁ ଉଦ୍ଧାର କରାଯାଇଛି। ଶନିବାର ସକାଳ ପ୍ରାୟ ୧୦:୧୫ ସମୟରେ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ତାମିଲନାଡୁର ତିରୁଚିରାପାଲି ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ କଟକ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ରେଳ ଷ୍ଟେସନରେ ଡ୍ୟୁଟି କରୁଥିବା ଆରପିଏଫ କର୍ମଚାରୀମାନେ ଟ୍ରେନର ପଛପଟେ ଥିବା ଏକ କୋଚ୍ ରୁ ୧୨ ଜଣ ନାବାଳକଙ୍କୁ ଓହ୍ଲାଇବାର ଦେଖିଥିଲେ। ପିଲାମାନଙ୍କ ଗତିବିଧି ସନ୍ଦେହଜନକ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା।ବିହାରର ଆରାରିଆ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନେ କହିଛନ୍ତି ଯେ ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ଏବଂ ରହିବା ସହିତ ଓଡ଼ିଶାରେ ମାଗଣା 'ମଦ୍ରାସା' ଶିକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଆଣିଥିବା ଜଣାପଡ଼ିଥିଲା । ଉକ୍ତ ବ୍ୟକ୍ତି ଜଣକ ସେମାନଙ୍କୁ ରେଳ ଷ୍ଟେସନରୁ ନେବାକୁ ଆସିନଥିଲେ ।