ଭୁବନେଶ୍ୱର: ବିଜେଡ଼ି ସରକାର ଅମଳରେ ମଦ ମୃତ୍ୟୁ ସଂଖ୍ୟା ୫୨ ଥିଲା । ଏହା ସହିତ ମଦ ବିକ୍ରିରେ ରାଜସ୍ୱ ଆୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାର ମଦ୍ୟପାନର ପ୍ରଭାବ ଏବଂ ଭବିଷ୍ୟତରେ ଏପରି ଦୁଃଖଦ ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସେହିପରି ଅବୈଧ ମଦ ବ୍ୟବସାୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ବିଗତ ୧୦ ମଧ୍ୟର ମଦ ବ୍ୟବସାୟରୁ ରାଜସ୍ୱ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ।
ବିଧାୟକ ମାନସ କୁମାର ଦତ୍ତ ପଚାରିଥିବା ପ୍ରଶ୍ନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ମନ୍ତ୍ରୀ ୨୦୧୪ରୁ ୨୦୨୪ ବର୍ଷ ପର୍ୟ୍ୟନ୍ତ ବିଦେଶୀ ମଦର ବିକ୍ରିର ସୂଚନା ପ୍ରଦାନ କରିଛନ୍ତି । ୨୦୨୪ରୁ ଏବେ ପର୍ଯ୍ୟନ୍ତ ୭୭୫୬.୧୪ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । ପ୍ରତି ବର୍ଷ ମଦ ବିକ୍ରିରେ ରାଜସ୍ୱ ଆୟ ବଢ଼ିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୧୪-୧୫ ବର୍ଷରେ ରାଜସ୍ୱ ଆୟ ୨୦୩୮.୭୯ କୋଟି, ୨୦୧୫-୧୬ରେ ୨୫୬୮.୫୮ କୋଟି, ୨୦୧୬-୧୭ରେ ୨୭୮୬.୨୮ କୋଟି, ୨୦୧୭-୧୮ରେ ୩୨୨୧.୦୩ କୋଟି, ୨୦୧୮-୧୯ରେ ୩୯୨୫.୪୧ କୋଟି ଏବଂ ୨୦୧୯-୨୦ ବର୍ଷରେ ୪୪୯୫.୫୨ କୋଟି ଟଙ୍କାର ରାଜସ୍ୱ ଆୟ ହୋଇଛି । ସେହିପରି ୨୦୨୦-୨୧ ବର୍ଷରେ ୪୦୫୩.୫୧ କୋଟି, ୨୦୨୧-୨୨ ବର୍ଷରେ ୫୫୨୮.୪୧ କୋଟି, ୨୦୨୨-୨୩ ବର୍ଷରେ ୬୪୫୫.୦୬ କୋଟି, ୨୦୨୩-୨୪ ବର୍ଷରେ ୭୨୧୬.୯୯ କୋଟି ଏବଂ ୨୦୨୪-୨୫, ମାର୍ଚ୍ଚ ୨୬ ଯାଏଁ ୭୭୫୬.୧୪ କୋଟି ଟଙ୍କାର ମଦ ବିକ୍ରିରେ ରାଜସ୍ୱ ଆୟ ହୋଇଛି ।
ସେହିପରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଆଉ ଏକ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ, ରାଜ୍ୟରେ ୨୦୨୨-୨୩ ଠାରୁ ୨୦୨୪-୨୫ ବର୍ଷ ମଧ୍ୟରେ ବିଭିନ୍ନ ନିଶା କାରବାରରେ ସମ୍ପୃକ୍ତ ଥିବା କେତେ ଜଣ ଅନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଧରାଯାଇ କେତେ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି, ତାର ସବିଶେଷ ବର୍ଷୱାରୀ ତଥ୍ୟ ପ୍ରଦାନ କରିବେ କି, ଅନ୍ତଃରାଜ୍ୟ ନିଶା କାରବାର ରୋକିବାକୁ କି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି ? ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ଗତ ତିନି ବର୍ଷ ମଧ୍ୟରେ, ସାରା ରାଜ୍ୟରେ ମୋଟ ୧,୩୫୯ ଜଣ ବେଆଇନ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନର ଲକ୍ଷ୍ୟ ଅନଧିକୃତ ମଦ ବଣ୍ଟନକୁ ରୋକିବା, ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ବେଆଇନ ବାଣିଜ୍ୟ କାର୍ଯ୍ୟକଳାପର ଏକ ନିରନ୍ତର ସମସ୍ୟା ହୋଇଆସିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।