ଭୁବନେଶ୍ୱର: ବିଦେଶୀ ପର୍ଯ୍ୟଟକ ଏବେ ଓଡ଼ିଶା । ବିଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ବିଦେଶୀ ଅତିଥିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯-୨୦୨୫ ପର୍ଯ୍ୟନ୍ତ ମୋଟ ୨ ଲକ୍ଷରୁ ଉର୍ଦ୍ଧ୍ୱ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୪ କୋଟିରୁ ଅଧିକ ଘରୋଇ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏ ନେଇ ବିଧାନସଭାରେ ଶନିବାର ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ନୟାଗଡ ବିଧାୟକ ଅରୁଣା କୁମାର ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରଖିଚନ୍ତି ପର୍ଯ୍ୟଟନ ମନ୍ତ୍ରୀ । ସେ କହିଛନ୍ତି ଯେ ୨୦୧୯-୨୦୨୪ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଡିସେମ୍ବର ପର୍ଯ୍ୟନ୍ତ ମୋଟ ୪୮,୧୮୪,୫୧୩ ଜଣ ଘରୋଇ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି । ସେହିପରି ମୋଟ ୨୨୩,୬୨୫ ଜଣ ବିଦେଶୀ ପର୍ଯ୍ୟଟକ ରାଜ୍ୟର ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି । ଏହି ସବୁ ସ୍ଥାନ ମଧ୍ୟରେ ରହିଛି ପୁରୀ, କୋଣାର୍କ, ଭୁବନେଶ୍ୱର, ଧଉଳି , ବ୍ରହ୍ମପୁର, ଗୋପାଳପୁର, କେନ୍ଦ୍ରାପଡା, ପାରଳାଖେମୁଣ୍ଡି, ଭଞ୍ଜନଗର, ଆସ୍କା, ଚିଲିକା, ଫୁଲବାଣୀ, ବାଲିଗୁଡା, ବୌଦ୍ଧ, ଜୁନାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି, ହରିଶଙ୍କର, ନୃସିଂହନାଥ, ବରଗଡ, ଝାରସୁଗୁଡା, ଦେବଗଡ, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ଆନନ୍ଦପୁର, ବଡ଼ବିଲ, ଘାଟଗାଁ, ବାରିପଦା, ସିମିଳିପାଳ, ବାଙ୍ଗିରିପୋଷୀ, ଖିଚିଂ, ବାଲେଶ୍ଵର ଆଦି ଅଞ୍ଚଳ । ରାଜ୍ୟର ସାଂସ୍କୃତିକ ଐତିହ୍ୟ, ବେଳାଭୂମି ଏବଂ ଐତିହାସିକ ସ୍ଥାନଗୁଡିକ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଲାଗିଥିବା ମନ୍ତ୍ରୀ କହିଛନ୍ତି ।