ଭୁବନେଶ୍ୱର: ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସରକାର ଏକ ଠୋସ୍ ପଦକ୍ଷେପ ଉଠାଇଛନ୍ତି । ଅଭୟାରଣ୍ୟର ସୁରକ୍ଷା ପାଇଁ ୧୩୧ ଜଣିଆ ସଶସ୍ତ୍ର ପୋଲିସ ଫୋର୍ସ ପଦବୀ ସୃଷ୍ଟି କରି ନିୟୋଜିତ କରିବାକୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସଚିବ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ଏହି ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଅନୁରୋଧ କରାଯାଇଛି ।
ମୟୁରଭଞ୍ଜ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯିବ । ୧୩୧ ଜଣିଆ ସଶସ୍ତ୍ର ପୁଲିସ ବାହିନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସ୍ପେକ୍ଟର୍, ୩ ଜଣ ସବ୍ ଇନସ୍ପେକ୍ଟର୍, ୩ ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟର୍, ୩୦ ଜଣ ହାବିଲଦାର, ୩ ଜଣ ଡ୍ରାଇଭର ହାବିଦାର, ୮୭ ଜଣ ସିପାହୀ ଏବଂ ୩ ଜଣ ଡ୍ରାଇଭର ରହିବେ । ଏହାର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ ।
ଏହା ଦ୍ୱାରା ବାଘ ଶୀକାର ଉପରେ ରୋକ ଲାଗିବ ସହିତ ବାଘ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ । ଏହା ସହିତ ବାଘ ସଂଖ୍ୟା ମଧ୍ୟ ଶିମିଳିପାଳରେ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।