ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଶୀତର ଲହରିରେ ରୋକ୍ ଲଗାଇଛି ଅଦିନିଆ ବର୍ଷା ପାଗ । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଦକ୍ଷିଣ-ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଗାମୀ ୫ ଦିନ ପାଇଁ ପାଗ ମୁଖ୍ୟତଃ ଶୁଖିଲା ସହ ମେଘୁଆ ରହିବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରାମା ମହାନ୍ତିଙ୍କ ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ଅତ୍ୟନ୍ତ ହାଲୁଆ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ୧୯ ତାରିଖରେ ପାଗ ମେଘୁଆ ରହିବା । ପୁରୀ, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗୋଟିଏ କିମ୍ବା ୨ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ତେବେ ବର୍ଷା ପାଗ ଯୋଗୁଁ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପାରଦ ବଢ଼ିଛି । ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୭.୨ ରାଉରକେଲାରେ ରହିବାବେଳେ ଝାରସୁଗୁଡ଼ାରେ ୮.୬, ସୁନ୍ଦରଗଡ଼ରେ ୮.୧, ଫୁଲବାଣୀ ଓ ବୌଦ୍ଧରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେପଟେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବିଲରେ ପାଚିଲା ଧାନ ରହିଥିବାବେଳେ ଖଳାରେ ମଧ୍ୟ ଧାନ ଅମଳ ହୋଇପାରି ନାହିଁ । ଯାହାକି ଚିନ୍ତା ବଢ଼ାଇଛି । ସେପଟେ ପନିପରିବା ନଷ୍ଟ ହେବାର ନେଇ ପରିବା ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି ।