ବର୍ତ୍ତମାନ ଧାନ ଅମଳର ସମୟ । ଚାଷୀମାନେ ଏବେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ ଗଦାକରି ପକାଇଛନ୍ତି। ଏପଟେ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ଚାଷୀଙ୍କ ଚିନ୍ତା ବଢ଼ିଗଲାଣି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୯ ତାରିଖରେ ପାଗ ମେଘୁଆ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।
ରାଜ୍ୟର ମାଲକାନଗିରି ,ନବରଙ୍ଗପୁର ,କନ୍ଧମାଳ କୋରାପୁଟ, ରାୟଗଡ଼ା ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୧ ତାରିଖରେ ମଧ୍ୟ ହାଲୁକା ବର୍ଷା ହେବାର ଅଛି। ପାଗ ମେଘୁଆ ରହୁଥିବାରୁ ଗୋଟେ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।