ବଲାଙ୍ଗିର: ବଲାଙ୍ଗିର ସହର ସ୍ଥିତ ପି.ପି .ଏକାଡେମୀ ବିଦ୍ୟାଳୟରେ ପାଳନ ହେବାକୁ ଯାଉଛି ବିଦ୍ୟାଳୟର ହୀରକ ଜୟନ୍ତୀ ମହୋତ୍ସବ। ପ୍ରାୟ ୭୫ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଶିକ୍ଷାକୁ ଆଗେଇ ନେବାକୁ ଲକ୍ଷ୍ୟ ରଖି ନୂତନ ଭବିଷ୍ୟତ ଗଠନ ଆଶାରେ ସ୍ବର୍ଗତ ଚକ୍ରଧର ପଣ୍ଡା ପତିତପାବନ ଏକାଡେମୀ ନାମରେ ଏକ ଶିକ୍ଷାନୁଷ୍ଠାନ ଗଠନ କରିଥିଲେ। ଯାହା ଆଜି ପି.ପି ଏକାଡେମି ନାମରେ ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଛି। ଶିକ୍ଷା, ସଂସ୍କୃତି, କ୍ରୀଡା, କଳା ଏଭଳି ବିଭିନ୍ନ କ୍ଷେତ୍ରରେ ଏହି ବିଦ୍ୟାଳୟର ଛାତ୍ରମାନେ ପାରଦର୍ଶିତା ଦେଖାଇଛନ୍ତି। ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ହେବାକୁ ଯାଉଥିବା ବେଳେ ଗୁରୁବାର ସକାଳେ ଚକ୍ରଧର ପଣ୍ଡାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ପଦଯାତ୍ରା କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅଧ୍ୟୟନ ରତ ଛାତ୍ରମାନେ ମିଶି ସହର ପରିକ୍ରମା କରିଥିଲେ। ହୀରକ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଉ ଦିନକ ପରେ ହୀରକ ଜୟନ୍ତୀ ପାଳିତ ହେବ ବୋଲି ସୂଚନା ରହିଛି।