ସମ୍ବଲପୁର: ବିଜେଡି ଦଳ ମୁଖ୍ୟ ସଚେତକ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ‘ବିଶ୍ୱ’ ଏନଜିଓର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଦ୍ୱିତୀୟ ଦିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ଜାରି ରହିଛି । ଗୁରୁବାର ସକାଳୁ ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ଏବଂ ବାସଭବନରେ ପୁଣି ଖୋଳତାଡ଼ ଆରମ୍ଭ ହୋଇଛି । ବିଭିନ୍ନ ରାଷ୍ଟ୍ରାୟତ୍ତ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି । ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଯାଞ୍ଚ କରାଯାଉଛି । ତେବେ ଘର ଭିତରକୁ କୌଣସି ବାହାର ଲୋକ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।
ଗତକାଲି ଇଡି ଟିମ୍ ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଇଡି ଚଢ଼ାଉ କରିଥିଲା । ଦିଲ୍ଲୀର ଗୋଟିଏ ଓ ସମ୍ବଲପୁରର ୩ ଟି ସ୍ଥାନରେ ରେଡ୍ ହୋଇଥିଲା । ଦିନ ତମାମ ଇଡି ଯାଞ୍ଚ କରିଥିଲା । ବିଶ୍ୱ ଏନଜିଓର ପ୍ରତିଷ୍ଠାତା ସମ୍ପାଦକ ପୀତବାସ ସେଠୀଙ୍କ ବାସଭବନ, ମୁଦିପଡ଼ାରେ ଥିବା ଆଉ ଗୋଟିଏ ସ୍ଥାନ ଏବଂ ଧନୁପାଲିରେ ଥିବା ବିଶ୍ୱର ଜିମ୍ ରେ ଖୋଳତାଡ଼ କରାଯାଉଛି । ସିଆରପିଏଫ ଯବାନଙ୍କ ଉପସ୍ଥିତରେ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି ।
ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ‘ବିଶ୍ୱ’ର ଫାଉଣ୍ଡର୍ ଥିଲେ । କ୍ଷୀରୋଦଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦେବବ୍ରତ୍ତ ମଲ୍ଲିକ ଏବେ ଏହି ସଂସ୍ଥାକୁ ଚଳାଉଛନ୍ତି । ସେ ଏହା ମାଧ୍ୟମରେ ପ୍ରାୟ ୨୮ଟି ବ୍ୟାଙ୍କରୁ ୨୩୧.୮୦କୋଟି ଟଙ୍କା ଋଣ କରି ପୈଠ କରି ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖା ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ଥର ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା।