ଭୁୁବନେଶ୍ୱର: ଅତ୍ୟାବଶ୍ୟକ ଦରଦାମ ବୃଦ୍ଧିର ପ୍ରତିବାଦରେ ଜାନୁଆରୀ ୬ ରେ ବିଜେଡି ଦେବ ରଣ ହୁଂକାର। ଲୋକସେବା ଭବନ ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ । ବୁଧବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଏହି ଘୋଷଣା କରିଛି । ଦଳ ଅଭିଯୋଗ କରିଛି ଯେ ବିଜେପି ସରକାର ଗଠନର ୬ ମାସରେ ରାଜ୍ୟରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି ।
ଦଳ କହିଛି, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଠାରୁ ନେଇ ସାଧାରଣ ଖାଉଟି ସାମଗ୍ରୀର ଦର ଅହେତୁକ ବଢ଼ିଚାଲିଛି। ଦରବୃଦ୍ଧିରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ଆଳୁ ୬୦ ଟଙ୍କା, ପିଆଜ ୬୦ଟଙ୍କା , ଡାଲି ୧୫୦ ଟଙ୍କାରେ ପହଞ୍ଚିଲାଣି। ଏହା ସରକାରୀ ନୀତି ନିର୍ଦ୍ଧାରଣର ବିଫଳତା । ବିଜେପି ଯେଉଁ ପ୍ରତିଶୃତି ଦେଇ ସରକାରକୁ ଆସିଥିଲା ସେସବୁ ପୂରଣ କରିବାରେ ଫେଲ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି । ସାରା ଦେଶରେ ମୁଦ୍ରାସ୍ପୀତି ହାର ବଢ଼ି ଚାଲିଛି । ଓଡିଶାରେ ମୁଦ୍ରାସ୍ପୀତି ହାର ୬.୭୮ ଥିବା ବେଳେ ଏହା ଦେଶରେ ତୃତୀୟ। ପ୍ରଥମ ଆଠଟି ରାଜ୍ୟ ମଧ୍ୟରୁ ୭ଟି ବିଜେପି ଶାସିତ ରାଜ୍ୟ ବୋଲି ବିଜେଡି କହିଛି। ।
ବିଜେଡିର ଆନ୍ଦୋଳନ ଡାକରାକୁ ନାପସନ୍ଦ କରିଛି ଶାସକ ଦଳ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବିଜେଡ଼ି କଣ କରିଛି ଲୋକ ସବୁ ଜାଣିଛନ୍ତି । ତାକୁ ଦେଖିବା ପରେ ହିଁ ନିର୍ବାଚନରେ ଉଚିତ ରାୟ ଦେଇଛନ୍ତି । ଲୋକଙ୍କୁ ଠକି ଠକି ଦିନ ଗଲା । ମନ୍ତ୍ରୀ, ବିଧାୟକ କେଉଁଠି ରହୁଥିଲେ ଲୋକ ଦେଖିଛନ୍ତି । ନୂଆ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡ଼ି । ମନରେ ଆକ୍ରୋଶ ହେଉଛି। ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପାରୁନଥିଲେ । ବିଜେଡିକୁ ଆଉ ଦାନା ମିଳୁନି ବୋଲି ବିଜେପି କହିଛି।