ବଲାଙ୍ଗୀର: ବରଗଡରୁ କଫ ସିରପ ନେଇ ଆସୁଥିବାବେଳେ ଜବତ କରିଛି ପୋଲିସ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଜୀବନଗରର ବବୁଲୁ ବେହେରା, ମିର୍ଦ୍ଧାପାଲିର ସ୍ୱାଧିନ ଅଦାବରିଆ ଏବଂ ମାଧିଆପାଲିର ସଚିକାନ୍ତ ସୁନା । ତାଙ୍କ ଠାରୁ ୧୨୦୦ ବୋତଲ କଫ ସିରପ, ଚାଲାଣ ହେଉଥିବା ଏକ ମେକ୍ସପିକଅପ ଗାଡି, ନଗଦ ୧ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରାଯାଇଛି । ଟାଉନ ଥାନାରେ ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏସଡିପିଓ ପ୍ରଦୀପ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏସଡିପିଓଙ୍କ ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଲକ୍ଷ୍ମୀଜୋର ଥାନାର ପୁଲିସ ଟିମ ସହରରେ ପେଟ୍ରୋଲିଂ କରୁଥିବାବେଳେ ବଲାଙ୍ଗିର ବାଇପାସ ନିକଟସ୍ଥ ଚେକଗେଟ ପଡାରେ ଏକ ଗାଡିରେ କଫ ସିରଫ ରହିଥିବା ଖବର ପାଇଥିଲେ । ଏସପିଙ୍କ ନିଦେ୍ର୍ଦଶକ୍ରମେ ତୁରନ୍ତ ସେହି ଟିମ ଘଟଣାସ୍ଥଳରେ ଚଢାଉ କରିଥିଲେ । ସେଠାରେ ଏକ ମେକ୍ସ ପିକଅପ ଗାଡି(ଓଡି ୦୩ ଏବି୧୭୯୦)ରେ କଫ ସିରପ ରହିଥିବା ଦେଖିବାକୁ ପାଇଥିଲେ । ଚାଲାଣକାରୀ ମାନେ ପୁଲିସକୁ ଚକମା ଦେବାକୁ କଫ ସିରପ ଉପରେ ପରିବା କାଟୁର୍ନ ଓ ଜରିପାଲି ଢାଙ୍କିଥିଲେ । ତେବେ ପୁଲିସ ସେମାନଙ୍କୁ ଧରି ପଚରାଉଚୁରା କରିବାରୁ ବରଗଡରୁ କଫ ସିରପ ନେଇ ଆସୁଥିବା କହିଥିଲେ ।
ଏହି ଘଟଣାର ମାଷ୍ଟରମାଇଣ୍ଡ ବବୁଲୁ ବେହେରା ହୋଇଥିବାବେଳେ ସେ ବଲାଙ୍ଗିର ସହର, ଲୋଇସିଂହା ଏବଂ ବରଗଡ ଜିଲ୍ଲାର ପଦମପୁର, ଗାଇସିଲେଟ, ବିଜେପୁର, ବରପାଲି ଅଞ୍ଚଳରେ କଫସିରପ ଚାଲାଣ କରିଥାଏ | ଜବତ ହୋଇଥିବା କଫ ସିରପ ର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ପୁଲିସ ତରଫର ସୂଚନା ମିଳିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଲକ୍ଷ୍ମୀଜୋର ଥାନା ଏସଆଇ ସୁଚିସ୍ମିତା ଜେନା, ଏଏସଆଇ ବି ଦେହୁରୀ, ଏଏସଆଇ ଏ ଘିବେଲା ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।