ଚେନ୍ନାଇ: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫେଙ୍ଗଲ ଦ୍ରୁତଗତିରେ ଭାରତ ଉପକୂଳ ଆଡ଼କୁ ଗତି କରୁଛି ଏବଂ ବୁଧବାର ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ଯୋଗୁଁ ଶ୍ରୀଲଙ୍କାଠାରୁ ଆରମ୍ଭ କରି ଦକ୍ଷିଣ ଭାରତର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ। ଏହି ବାତ୍ୟାର ପ୍ରଭାବକୁ ନେଇ ଅନେକ ରାଜ୍ୟରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ବାତ୍ୟା ଯୋଗୁଁ ତାମିଲନାଡୁର ବିଭିନ୍ନ ସ୍ଥାନ, ବିଶେଷ କରି ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଫେଙ୍ଗଲ ଯୋଗୁଁ ୨୭ ଓ ୨୮ ତାରିଖରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ହୋଇପାରେ। ବିଶେଷକରି ତାମିଲନାଡୁରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳ ଏହି ବାତ୍ୟାଦ୍ୱାରା ଅଧିକ ପ୍ରଭାବିତ ହେବ। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୭ଟି ଟିମ୍ ରିଲିଫ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ବେଳେ ରାଜ୍ୟ ସରକାର ସ୍କୁଲ ବନ୍ଦ କରିବାକୁ ସୁପାରିସ କରିଛନ୍ତି। ବାତ୍ୟାମୁକାବିଲା ପାଇଁ ରିଲିଫ୍ କ୍ୟାମ୍ପ ଓ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ କଡ଼ା ବ୍ୟବସ୍ଥା କରାଯାଇଛି।
ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ଟ୍ରାଫିକ୍ ଜାମ୍ ହେବା ସହ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସଙ୍କଟର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡିକରେ ସଙ୍କଟର ମୁକାବିଲା ପାଇଁ ଅଧିକାରୀମାନଙ୍କୁ ରିଲିଫ କାର୍ଯ୍ୟ ରେ ନିୟୋଜିତ କରିଥିଲେ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଠାରୁ ଦୂରେଇ ରହିବା ସହ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ନଭେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ତାମିଲନାଡୁ ସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିପାରେ। ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ଉଚ୍ଚ ଲହର ଆସିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ମଧ୍ୟ ଏହି ଅଞ୍ଚଳରେ ସତର୍କ ସୂଚନା ଜାରି କରିଛି।
ବାତ୍ୟା ଯୋଗୁଁ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେଉଥିବା ବେଳେ ନଭେମ୍ବର ୨୮ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଉତ୍ତର ଭାରତରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ ଭଳି ଅଞ୍ଚଳରେ କୁହୁଡ଼ି ସତର୍କ ସୂଚନା ଜାରି କରାଯାଇଛି ଯାହା ସଡ଼କ ଏବଂ ବିମାନ ସେବାରେ ଯାତାୟତକୁ ପ୍ରଭାବିତ କରିପାରେ। ନଭେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ଯୋଗୁଁ ହିମାଚଳ ପ୍ରଦେଶରେ ମଧ୍ୟ ଦୃଶ୍ୟମାନତା ହ୍ରାସ ପାଇବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀ ସଂଗଠନ ‘ଜୈଶ ଓ ଲସ୍କର’ ସହ ଜଡିତ ୫୬ଟି ସ୍ଥାନରେ ଚଢ଼ାଉ