ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦ ସମ୍ଭଲ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛି। ଜମିୟତ କହିଛି ଯେ ୧୯୯୧ର ପୂଜା ସ୍ଥାନ ଆଇନ ଅନୁଯାୟୀ ଅଦାଲତ ଧାର୍ମିକ ସ୍ଥଳଗୁଡ଼ିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ଭୁଲ ଅଟେ। ୧୯୪୭ ମସିହାରେ ଧାର୍ମିକ ସ୍ଥଳଗୁଡ଼ିକର ଚରିତ୍ର ବଜାୟ ରଖିବା କଥା କୁହାଯାଉଥିବା ଉପାସନା ସ୍ଥଳ ଆଇନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଉ ବୋଲି ଜମିୟତ କହିଛି।
ଏ ସଂକ୍ରାନ୍ତରେ ଜମିୟତଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ତାହା ଶୁଣାଯାଉନାହିଁ। ଜମିୟତଙ୍କ ଓକିଲ ସୁପ୍ରିମ୍ କୋର୍ଟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ପୂଜାସ୍ଥଳୀ ଆଇନ ଉପରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି।
ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ମୋଗଲ ଯୁଗର ଜାମା ମସଜିଦ୍ ସର୍ଭେ ବେଳେ ହିଂସା କାଣ୍ଡ ଘଟିବା ପରେ ଜନଜୀବନ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସ୍କୁଲ ଖୋଲିବା ସହ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅନେକ ଦୋକାନ ଖୋଲିଛି। ତେବେ ସମ୍ଭାଲ ତହସିଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାଲ ତହସିଲରେ ବୁଧବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଜିଲ୍ଲା ସୂଚନା ଅଧିକାରୀ ବ୍ରିଜେଶ କୁମାର ସୂଚନା ଦେଇଛନ୍ତି।
ସମ୍ଭଲ ନଗରରେ ସ୍ଥିତି ଦ୍ରୁତ ଗତିରେ ସ୍ୱାଭାବିକ ହେବାରେ ଲାଗିଛି । ସେପଟେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକତା ପାଇଁ ଆହ୍ୱାନ ଦେବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ କୁ ପୁନଃ ନିର୍ମାଣ କରିବାକୁ ସଂକଳ୍ପ ନେଇଛନ୍ତି । ହିଂସା କାଣ୍ଡ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନର ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରମୁଖ ଛକରେ ଯବାନମୁତୟନ କରାଯାଇଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ରାପିଡ୍ ଆକ୍ସନ ଫୋର୍ସ (ଆଇଏଫ୍) ଯବାନମୁତୟନ ହୋଇଛନ୍ତି। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମ୍ଭାଲରେ ବାହାର ଲୋକ ଓ ଜନପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ ।
ମୁରାଦାବାଦ ଡିଭିଜନାଲ କମିଶନର ଅଞ୍ଜନେୟ କୁମାର ସିଂହ କହିଛନ୍ତି, ସମ୍ଭଲରେ ସ୍ଥିତି ସ୍ୱାଭାବିକ ରହିଛି ଏବଂ ଦୋକାନ ଖୋଲା ରହିଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ କିଛି ଦୋକାନ ବନ୍ଦ ଥିବା ବେଳେ ଅନ୍ୟ ସ୍ଥାନରେ ଦୋକାନ ଖୋଲା ରହିଥିବା ବେଳେ କୌଣସି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇନାହିଁ। ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି, ଦୈନନ୍ଦିନ ରୁଟିନ୍ ସ୍ୱାଭାବିକ ସ୍ଥିତି ଆଡକୁ ଗତି କରୁଛି। ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ ଯୋଗୁଁ କେଉଁକେଉଁ ରାଜ୍ୟ ହେବ ପ୍ରଭାବିତ?