ମୁୁମ୍ବାଇ : ମହାରାଷ୍ଟ୍ରରେ ପ୍ରଚଣ୍ଡ ବହୁମତ ପରେ ମହାୟୁତିରେ ସଂପ୍ରତି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତିକ୍ତତା ବଢିବାରେ ଲାଗିଛି । ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ଶିବସେନା । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଦେବେନ୍ଦ୍ର ଫଡଣବିସଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ମାତ୍ର ଶିବସେନା ଏଥିପାଇଁ ପ୍ରସ୍ତୁତ ନୁହେଁ ବୋଲି କୁହାଯାଉଛି । ଉଲ୍ଲେଖନୀୟ ମହାବିକାଶ ଅଘାଡି ସରକାରର ପତନ ପରେ ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ତେବେ ମହାୟୁତିର ଐତିହାସିକ ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଣ୍ଟରେ ଅଙ୍କ ଛିଣ୍ଡୁନି । ଶିବସେନା ସ୍ପଷ୍ଟ ଶବ୍ଦରେ କହି ଦେଇଛି ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ । ଗଣମାଧ୍ୟମ ସହ ଆଲୋଚନା ବେଳେ ଶିବସେନାର ସଞ୍ଜୟ ଶିରସାତ କହିଛନ୍ତି, ବିଧାନସଭା ନିର୍ବାଚନ ଏକନାଥ ସିନ୍ଦେଙ୍କ ନାମରେ ଲଢା ଯାଇଥିଲା । ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର । ସେ ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେ ନାହିଁ । ମହାୟୁତି ମହାରାଷ୍ଟ୍ରର ୨୮୮ ଆସନରୁ ୨୩୦ ଆସନ ଜିତିଛି ଇତିହାସ ରଚିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିବସେନା ନେତା ଦାବି କରିଛନ୍ତି ଯେ, ଲୋକସଭା ନିର୍ବାଚନରେ ମହାୟୁତିର ଖରାପ ପ୍ରଦର୍ଶନ ପରେ ସ୍ଥିର ହୋଇଥିଲା ଯେ, ବିଧାନସଭାରେ ମହାୟୁତି ଜିତିଲେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ବିଜେପି ନେତାଙ୍କ କହିବା କଥା ପୂର୍ବରୁ ସ୍ଥିର ହୋଇଥିଲା ଯେ, ନିର୍ବାଚନ ଫଳାଫଳ ପରେ ତିନି ଦଳର ନେତା ଏକାଠି ବସି ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନେବେ । କିନ୍ତୁ ମହାୟୁତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ନେଇ ଜଟିଳ ସ୍ଥିତି ଉପୁଜିଛି । ସମୟ ପଡିଲେ ଏକନାଥ ସିନ୍ଦେଙ୍କ ଶିବସେନା ମହାୟୁତିରୁ ଓହରିପାରେ । ଶିବସେନା ଗୋଷ୍ଠୀଙ୍କ ବିଦ୍ରୋହୀ ଆଭିମୁଖ୍ୟ ମହାୟୁତିରେ ସଙ୍କଟ ସୃଷ୍ଟି କରିଛି ।