ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡର ଓଭାଲ ମଇଦାନରେ ଖେଳାଯିବ । ଏହି ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ ଦିବାରାତ୍ର ଆଧାରରେ ଖେଳାଯିବ । ଏହା ପୂର୍ବରୁ ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୯୫ ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ପର୍ଥ ଟେଷ୍ଟରେ ରୋହିତ ଶର୍ମା, ଶୁଭମନ ଗିଲ୍, ମହମ୍ମଦ ଶାମିଙ୍କ ପରି ବଡ ଖେଳାଳି ଖେଳି ନ ଥିଲେ । କିନ୍ତୁ ଏବେ ଆଡିଲେଡ୍ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା ।
ରୋହିତ ପର୍ଥ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚି ନିଜର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ମହମ୍ମଦ ଶାମି କେବେ ଅଷ୍ଟ୍ରେଲିଆ ପହଞ୍ଚିବେ ତାର କୌଣସି ଖବର ନାହିଁ । ତେଣୁ ତାଙ୍କର ଆଡିଲେଡ୍ ଟେଷ୍ଟ ଖେଳିବା ନେଇ ସମ୍ଭାବନା କମ ଲାଗୁଛି । ଅନ୍ୟପଟେ ଭାରତୀୟ ଦଳ ପାଇଁ ଆଉ ଏକ ସମସ୍ୟା ଶୁଭମନ ଗିଲ୍ ଏ ପର୍ଯ୍ୟନ୍ତ ଆହତ ସମସ୍ୟାରୁ ମୁକୁଳି ନାହାନ୍ତି । ତେଣୁ ତାଙ୍କର ଦ୍ୱିତୀୟ ଟେଷ୍ଟ ଖେଳିବା ମୁସ୍କିଲ ଲାଗୁଛି ।
ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଇଂଟ୍ରା ସ୍କ୍ୱାର୍ଡ ମ୍ୟାଚରେ ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ସ୍ଲିପରେ ଫିଲ୍ଡିଂ କରିବା ବେଳେ ଗିଲଙ୍କୁ ଆଘାତ ଲାଗିଥିଲା । ପର୍ଥ ଟେଷ୍ଟରେ ସେ ଡଗଆଉଟରେ ବସିଥିଲେ । ତାଙ୍କ ଆଙ୍ଗୁଠିରେ ମୋଟା ବ୍ୟାଣ୍ଡେଜ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲଙ୍କୁ ୧୦ରୁ ୧୪ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଆଡିଲେଡର ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତ ନଭେମ୍ବର ୩୦ରୁ ଦୁଇ ଦିନିଆ ଅଭ୍ୟାସ୍ ମ୍ୟାଚ୍ ଖେଳିବ । ତେବେ ଏହି ଅଭ୍ୟାସ ମ୍ୟାଚରେ ଗିଲ୍ ଖେଳି ପାରିବେ ନାହିଁ । ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।