ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଘାତକ ବୋଲିଂ କରିଥିବା ତାରକା ଭାରତୀୟ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ପୁଣି ଥରେ ଶୀର୍ଷ ସ୍ଥାନ କବଜା କରିଛନ୍ତି । ସେ ଦୁଇ ଜଣ ବୋଲରଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ଅନ୍ୟପଟେ ବାମହାତୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ମାନ୍ୟତାରେ ବମ୍ପର ଫାଇଦା ମିଳିଛି ।
ଯଶସ୍ୱୀ ଜୟସ୍ୱାଲ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ପର୍ଥରେ ଖେଳିଥିବା ୧୬୧ ରନର ଇନିଂସ ତାଙ୍କୁ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇଛି । ବିରାଟ କୋହଲି ନଅଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନକୁ ଉଠିଛନ୍ତି । କେଏଲ ରାହୁଲଙ୍କୁ ମଧ୍ୟ ପର୍ଥ ଟେଷ୍ଟର ଅର୍ଦ୍ଧଶତକୀୟ ଇନିଂସର ଫାଇଦା ମିଳିଛି । ରାହୁଲ ୧୩ଟି ସ୍ଥାନ ଉନ୍ନତି ଘଟାଇ ୪୯ତମ ସ୍ଥାନରେ ପହଞ୍ଚିଛି ।
ବୋଲିଂରେ ବୁମରା ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା ପ୍ରଥମ ସ୍ଥାନରେ ଥିଲେ । ଅଷ୍ଟ୍ରେଲିଆର ଯୋଶ ହେଜେଲଉଡ ଦ୍ୱିତୀୟରେ ଥିଲେ । ଆଉ ବୁମରା ତୃତୀୟରେ ଥିଲେ । ଏବେ ବୁମରା ଏହି ଦୁଇ ବୋଲରଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ବୁମରାଙ୍କ ରେଟିଂ ପଏଣ୍ଟ ୮୮୩ ଥିବା ବେଳେ କାଗିସେ ରାବଡାଙ୍କ ୮୭୨ ରେଟିଂ ପଏଣ୍ଟ ଅଛି । ତୃତୀୟରେ ଥିବା ଯୋଶ ହେଜେଲଉଡଙ୍କ ରେଟିଂ ପଏଣ୍ଟ ୮୬୦ ରହିଛି । ଭାରତର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ସ୍ଥାନ ଉପରକୁ ଉଠିଛି । ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଜାଡେଜା ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛନ୍ତି । ପର୍ଥ ଟେଷ୍ଟରେ ୫ ୱିକେଟ୍ ହାସଲ କରିଥିବା ମହମ୍ମଦ ସିରାଜ ୨୫ତମ ସ୍ଥାନରେ ପହଞ୍ଚିଛନ୍ତି ।