ସମ୍ବଲପୁର: ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ପୁତ୍ର ଚୋରି ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି । ଚୋରି କରିଥିବା ମହିଳାଙ୍କ ଫଟୋ ମଧ୍ୟ ବିଭିନ୍ନ ଥାନାକୁ ପଠାଯାଇଛି । ଏହା ସହିତ ଗୋଟିଏ ପୁଲିସ ଟିମ୍ ଜିଲ୍ଲା ବାହାରକୁ ଯାଇଛନ୍ତି । ମେଡ଼ିକାଲ ଓ ରାସ୍ତାରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତକୁ ଜୋର ଦାର କରାଯାଇଛି ।
ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡ଼େସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତା ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ୨୪ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା । ୨୫ ତାରିଖରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ସୀତାଙ୍କୁ ସହଯୋଗ କରିବାକୁ ତାଙ୍କ ଭଉଣୀ ମଧ୍ୟ ତାଙ୍କ ସହିତ ଆସିଥିଲେ ।
ସୀତାଙ୍କ ଭଉଣୀ ସହିତ ମେଡ଼ିକାଲରେ ଜଣେ ଅଜଣା ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ହୋଇଥିଲା । ମହିଳା ଜଣକ ସମ୍ବଲପୁରର ବୋଲି କହିଥିଲେ । ଏହା ପରେ ବିଭିନ୍ନ କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ । ତେବେ ଗତକାଲି ନବଜାତ ଶିଶୁ ପୁତ୍ର ଚୋରି ହୋଇଥିବା ଜଣାପଡ଼ିଥିଲା । ଏ ନେଇ ମୋହନ ଦାସ ଭିମସାର ଫାଣ୍ଡି ଏବଂ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମେଡ଼ିକାଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଉକ୍ତ ଅଜଣା ମହିଳା ଜଣକ ଶିଶୁ ପୁତ୍ରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ହୀରାକୁଦ ଏସଡିପିଓ ଅମ୍ବିତ ମହାନ୍ତି ଓ ବୁର୍ଲା ଥାନା ଆଇଆଇସି ଅନୀଲ ପ୍ରଧାନ ଘଟଣାସ୍ଥଳକୁ ଆସି ପ୍ରାଥମିକ ତଦନ୍ତ କରିଛନ୍ତି ।