ଭୁବନେଶ୍ୱର : ଆଜି ବିଧାନସଭା ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ହାତୀ ମୃତ୍ୟୁକୁ ବରଦାସ୍ତ କରାଯିବନି ବୋଲି କହି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂ ଦେଓ ।
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ, ବାରାହା ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ଲଗାତାର ବଢିଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଉଛନ୍ତି କିମ୍ବା କରେଣ୍ଟର ବ୍ୟବହାର କରାଯାଉଛି, ସେଥିରେ କେବଳ ବାରହା ନୁହେଁ ବରଂ ହାତୀ ଏପରିକି ସାଧାରଣ ଲୋକଙ୍କ ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ତେଣୁ ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କ ଘରୁ ସିଧା ବିଦ୍ୟୁତ୍ ସଂଯୋଗ କାଟିଦିଆଯିବ ବୋଲି କଡା ଚେତାବନୀ ଦେଇଛନ୍ତି।
ଏହାସହ ଏହି ପଦକ୍ଷେପକୁ ସଫଳ କରିବାକୁ ଅନ୍ୟ ବିଧାୟକଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି ଉପମୁଖ୍ୟମନ୍ତ୍ରୀ । ବନ୍ୟଜନ୍ତୁ ମୃତ୍ୟୁ ଯୋଗୁଁ ରାଜ୍ୟ ବଦନାମ ହେଉଛି । ତେଣୁ ନିଜ ନିଜ ଅଞ୍ଚଳରେ ଏଭଳି ଘଟଣା ଏଡାଇବାକୁ ବିଧାୟକମାନେ ଏହା ଉପରେ ନଜର ରଖିବାକୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।