ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ ଶେଷରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ରାଜ୍ୟ ସରକାର ତାଙ୍କର ଛୁଟି ବୃଦ୍ଧି ଆବେଦନ ଖାରଜ କରିବା ପରେ ସେ କାର୍ଯ୍ୟାଳୟକୁ ଆସିଛନ୍ତି ।
ନିର୍ବାଚନ ପରେ ମେ ୩୧ରୁ ପ୍ରଭାବଶାଳୀ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଯାଇଥିଲେ । ପିଲାଙ୍କ ପାଠ ପଢ଼ା ପାଇଁ ସେ ଛୁଟିରେ ଯାଇଥିଲେ । ଏହା ପରେ ପୁଣି ଥରେ ଆଉ ୬ ମାସ ଛୁଟି ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ ସୁଜାତା। ତାଙ୍କ ଆବେଦନ ଅଗ୍ରାହ୍ୟ କରି ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର ।
ପୂର୍ବତନ ଆଇଏଏସ ତଥା ବିଜେଡି ନେତା ରହିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ହେଉଛନ୍ତି ୨୦୦୦ ବ୍ୟାଚର ଆଇଏଏସ ସୁଜାତା କାର୍ତ୍ତିକେୟନ । ବିଜେଡି ସରକାରର ପ୍ରଶାସନରେ ସୁଜାତାଙ୍କ ବେଶ ଦବଦବା ରହିଥିଲା। ସେ ମିଶନ ଶକ୍ତି ବିଭାଗର ସଚିବ ଥିଲେ । କିନ୍ତୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗ କରି ମିଶନ ଶକ୍ତିରେ ଥିବା ରାଜ୍ୟର ମହିଳାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଆୟୋଗ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦେଇଥିଲେ।
ଏହା ପରେ ନିର୍ବାଚନରେ ବିଜେଡି ପରାଜୟ ଭୋଗିଥିଲା ଏବଂ ବିଜେପି ସରକାରକୁ ଆସିବା ମାତ୍ରେ ସୁଜାତା ନିଜ ପିଲାଙ୍କ ଯତ୍ନ ନେବା କାରଣ ଦର୍ଶାଇ ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ । ସେହି ସମୟରେ ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।
ବିଜେଡି ସରକାର ଅମଳରେ ମିଶନ୍ତ ଶକ୍ତି ଗଠନ ହୋଇଥିଲା । ଏଥିରେ ଓଡିଶାର ୬ ଲକ୍ଷ ଗ୍ରୁପରୁ ୭୦ ଲକ୍ଷରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି । ତେବେ ମିଶନ ଶକ୍ତିର ମହିଳାଙ୍କୁ ବିଜେଡି ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଥିଲା ବିଜେପି ।