ପୁରୀ: ଆଜି ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିରରେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ଦ୍ବିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।
ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତିରେ ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ବନକଲାଗି ନୀତି ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଝଟକିବ ଯାହା ଅତ୍ୟନ୍ତ ମନଲୋଭା ଓ ଆକର୍ଷଣୀୟ ।