ଇସଲାମାବାଦ: ଆସନ୍ତା ବର୍ଷ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି-୨୦୨୫ର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କିନ୍ତୁ ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ର ଅବସ୍ଥା ଖରାପ ଥିବା ଜଣାପଡିଛି। ଏହାର କାରଣ ହେଉଛି ଇସଲାମାବାଦରେ ଚାଲିଥିବା ରାଜନୈତିକ ବିକ୍ଷୋଭ। ଏହାର ସିଧାସଳଖ ପ୍ରଭାବ କ୍ରୀଡ଼ା ଉପରେ ପଡ଼ିଥିବା ଜଣାପଡିଛି।
ଏହି ପ୍ରତିବାଦ ଯୋଗୁଁ ଶ୍ରୀଲଙ୍କାର 'ଏ' ଟିମ୍ ଏବେ ନିଜ ଦେଶକୁ ଫେରୁଛି। ସେ ପାକିସ୍ତାନ ସାହିନ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାକୁ ମଝିରେ ଛାଡ଼ି ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଙ୍ଗଳବାର (ନଭେମ୍ବର ୨୬) କହିଛି ଯେ ସେମାନେ ଏ ନେଇ ଶ୍ରୀଲଙ୍କା ବୋର୍ଡ ସହ କଥା ହୋଇଛନ୍ତି।
ଏହାପରେ ପିସିବି ପାକିସ୍ତାନ ଶାହିନ ଓ ଶ୍ରୀଲଙ୍କା ଏ ମଧ୍ୟରେ ଶେଷ ଦୁଇଟି ୫୦ ଓଭର ମ୍ୟାଚ୍କୁ ସ୍ଥଗିତ ରଖିଛି। ବାତିଲ ହୋଇଥିବା ମ୍ୟାଚ୍ ବୁଧବାର ରାୱଲପିଣ୍ଡିରେ ଖେଳାଯିବାର ଥିଲା। ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି ଯେ ପରିବେଶକୁ ଶାନ୍ତ କରିବା ପାଇଁ ସେନାକୁ ଡକାଯାଇଛି।
ସୋମବାର ଇସଲାମାବାଦରେ ପାକିସ୍ତାନ ସାହିନ୍ସ ଏବଂ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଶେଷ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଶ୍ରୀଲଙ୍କା ‘ଏ’କୁ ୧୦୮ ରନ୍ରେ ପରାସ୍ତ କରିଥିଲା। ଦୁଇ ଦଳ ମଧ୍ୟରେ ଶୃଙ୍ଖଳାର ଶେଷ ଦୁଇଟି ମ୍ୟାଚ୍ ଖେଳାଯିବାର ଥିଲଶ। ପିସିବି କହିଛି ଯେ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚ୍ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ, ଯେଉଁଥିପାଇଁ ଉଭୟ ବୋର୍ଡ ଏକାଠି କାମ କରିବେ।
ଇମ୍ରାନ୍ ଖାନ୍ଙ୍କୁ ମୁକ୍ତ କରିବା ଦାବିରେ ପିଟିଆଇ କର୍ମୀ ଓ ସେମାନଙ୍କ ସମର୍ଥକମାନେ ଇସଲାମାବାଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା ରେ ବାହାରିଥିଲେ। ବାଟରେ ସରକାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଯାହା ପରେ ଇମ୍ରାନ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।
ଏହି କାରଣରୁ ପାକିସ୍ତାନର ରାଜଧାନୀ ଏହି ସମୟରେ ରଣକ୍ଷେତ୍ର ହୋଇ ରହିଛି। ଗୋଟିଏ ପଟେ ଇମ୍ରାନ ଖାନଙ୍କ ସମର୍ଥକ ଥିବା ବେଳେ ଅନ୍ୟପଟେ ଜେନେରାଲ ଅସୀମ ମୁନିରଙ୍କ ସେନା। ଲଢ଼େଇ ଜୋରସୋରରେ ଚାଲିଛି। ସେମାନଙ୍କୁ ରୋକିବା ପାଇଁ ଇମ୍ରାନ ସମର୍ଥକମାନେ ରାସ୍ତାରେ ଲଗାଯାଇଥିବା କଣ୍ଟେନରର କାନ୍ଥ ହଟାଇ ଇସଲାମାବାଦରେ ପ୍ରବେଶ କରିଛନ୍ତି। ଇସଲାମାବାଦ ଏକ ଶିବିରରେ ପରିଣତ ହୋଇଛି।
ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ପାଇଁ ବୋର୍ଡ ମିଟିଂ ଡକାଇଲା ଆଇସିସି