ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏକ ବଡ଼ ଝଟକା ଲାଗିଛି । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ବଜରଙ୍ଗଙ୍କୁ ରେସଲିଂ ରିଙ୍ଗ୍ ଭିତରେ ଦେଖିବାକୁ ପାଇବେ ନାହିଁ କ୍ରୀଡ଼ା ପ୍ରେମୀ । ନ୍ୟାସନାଲ ଏଣ୍ଟି ଡୋପିଂ ଏଜେନ୍ସି (ନାଡା) ପୁନିଆଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଆଣ୍ଟି ଡୋପିଂ କୋଡ୍ର ଉଲ୍ଲଙ୍ଘନ ଅଭିଯୋଗଗରେ ନାଡା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୨୦୨୪ ଏପ୍ରିଲ ୨୩ରୁ ଏହି କଟକଣା ପିଛିଲାଭାବେ ଲାଗୁ କରାଯିବ ।
ବଜରଙ୍ଗ ପୁନିଆ ଜାତୀୟ ଟିମର ଚୟନ ବେଳେ ଡୋପିଂ ଟେଷ୍ଟକୁ କରିବାକୁ ମନା କରିଥିଲେ । ମାର୍ଚ୍ଚ ୧୦ରେ ଚୟନ ପ୍ରକ୍ରିୟା ହୋଇଥିଲା । ଏହି ସମୟରେ ବଜରଙ୍ଗ ପୁନିଆ ନମୁନା ଦେବାକୁ ମନା କରିଥିଲେ । ନାଡା ଏହା ପୂର୍ବରୁ ଅପ୍ରେଲ୍ ୨୩ରେ ମଧ୍ୟ ନିଲମ୍ବନ କରିଥିଲା । ଯାହା ପରେ ୟୁଡବ୍ଲ୍ୟୁଡବ୍ଲ୍ୟୁ ତାଙ୍କୁ ନିଲମ୍ବନ କରିଥିଲା । ମାତ୍ର ବଜରଙ୍ଗ ପୁନିଆ ନିଲମ୍ବନ ଆଦେଶ ବିରୁଦ୍ଧରେ ଅପିଲ୍ କରିଥିଲେ । ମେ ୩୧ରେ ନାଡାର ଅନୁଶାସନାତ୍ମକ ଡୋପିଂ ବିରୋଧୀ ପାନେଲ (ଏଡିଡିପି) ଏହି ଅପିଲକୁ ଖାରଜ କରିଦେଇଥିଲେ । ୨୩ ଜୁନରେ ପୁଣି ଥିଲେ ବଜରଙ୍ଗ ପୁନିଆଙ୍କୁ ନୋଟିସ୍ ଜାରି କରିଥିଲେ ।
ଏହାପରେ ୧୧ ଜୁଲାଇରେ ସେ ପୁଣି ଥରେ ନାଡାର ନିଷ୍ପତ୍ତି ବିରୁଦ୍ଧରେ ଅପିଲ କରିଥିଲେ । ୨୦ ସେପ୍ଟେମ୍ବର ଏବଂ ୪ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ଧାରା ୧୦.୩.୧ ଅନୁଯାୟୀ ଏଡିଡିପି ବଜରଙ୍ଗଙ୍କୁ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ୪ ବର୍ଷ ପାଇଁ ନିଲମ୍ବନ କରାଯାଇଛି । ଏହା ଦ୍ୱାରା ସେ କୌଣସି କୁସ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଏମିତିକି ସେ ବିଦେଶରେ ମଧ୍ୟ ଟ୍ରେନିଂ ଚାକିରି କରିପାରିବେ ନାହିଁ ।
ସେପଟେ ବଜରଙ୍ଗ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଯେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରିବାରୁ ଡୋପିଂ କଣ୍ଟ୍ରୋଲ ବାବଦରେ ତାଙ୍କ ସହିତ ଅନୁଚିତ ବ୍ୟବହାର କରାଯାଇଛି । ସେ ନମୁନା ଦେବାକୁ କେବେବି ସିଧାସଳଖ ମନା କରି ନାହାଁନ୍ତି । ୨୦୨୩ ଡିସେମ୍ବରରେ ନମୁନା ପରୀକ୍ଷା କରିବାକୁ ପଠାଇଯାଇଥିବା ପରୀକ୍ଷଣ କିଟର ଶେଷ ତାରିଖ ସରିଯାଇଥିବାରୁ ସେ ନାଡାକୁ ସ୍ପଷ୍ଟୀକରଣ ମାଗିଥିଲେ ବୋଲି କହିଛନ୍ତି ।