ଭୁବନେଶ୍ୱର: ବିବାଦୀୟ ଖଣ୍ଡଗିରି ବୈକୁଣ୍ଠ ଧାମ କେଳେଙ୍କାରୀ ଗୁମର ଦିନକୁ ଦିନ ଖୋଲିବାରେ ଲାଗିଛି । ଆତ୍ମ ଘୋଷିତ ବାବା କାଶୀନାଥଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆଶ୍ରମରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ କେନ୍ଦୁଝରର ଜଣେ ବ୍ୟକ୍ତି ଭୁବନେଶ୍ୱର ସହିଦ ନଗର ଥାନା ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ଠୋସ୍ ପ୍ରମାଣ ଥିବା ସେ ଦାବି କରିଛନ୍ତି । ଏମିତିକି ଆଶ୍ରମକୁ ଆସୁଥିବା ତାଙ୍କ ସ୍ତ୍ରୀ ମଧ୍ୟ ନିଖୋଜ ଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ।
ଅଭିଯୋଗକାରୀ ବୈକୁଣ୍ଠ ଧାମ ଆଶ୍ରମର ଆତ୍ମ ଘୋଷିତ ବାବା କାଶୀନାଥ, ତାଙ୍କ ଶିଷ୍ୟ କେ କୃଷ୍ଣା ନନ୍ଦ ପ୍ରଭୁ, ପୁଅ ସତୀଶ ଓରଫ ଅନନ୍ତ ମାଧବ, ପାଣ୍ଡବ ପରିଡା, ମୋହନ ବେହେରା ଓ ହରିଆଣାର ଭିକି ନାମକ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେହିପରି ପେଜୁ ଓ ସୁଧୀର ନାମକ ଅନ୍ତେବାସୀଙ୍କ ନାଁରେ ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି । କାଶୀନାଥଙ୍କ ଶିଷ୍ୟ କୃଷ୍ଣ ନନ୍ଦ ପ୍ରଭୁ ଅଭିଯୋଗକାରୀଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ବୈକୁଣ୍ଠ ଧାମ ଆଶ୍ରମର ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର ନିଜ ପୁଅକୁ କଳକୀଙ୍କ ଅବତାର ବୋଲି କହୁଥିଲେ । ପୁଅର ପାଦ ତଳେ ତୁଳସୀ ରଖି ପୂଜା କରାଯାଇଥିଲା । ଯାହାର ଫଟୋ ଭାଇରାଲ ହେବା ପରେ ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ କରିଥିଲା । ବିବାଦ ସୃଷ୍ଟି ପରେ ଅନେକ ରହସ୍ୟ ଖୋଲିଥିଲା । ମାତ୍ର ବାବା କାଶୀନାଥ ଏବଂ ତାଙ୍କ ପୁଅ କେଉଁ ଆଡ଼େ ଫେରାର ହୋଇଯାଇଥିଲେ । ଏହା ପରେ ଆଶ୍ରମ ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଜଣାପଡ଼ିଥିଲା । ଜମି ଉପରୁ ବେଆଇନ ଦଖଲ ଉଚ୍ଛେଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା । ମାତ୍ର ମାନ୍ୟବର ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ଉପରେ ରହିତାଦେଶ ଲଗାଇ ଦେଇଥିଲେ । ଡିସେମ୍ବର ୧୨ ଯାଏଁ ଆଶ୍ରମ ନ ଭାଙ୍ଗିବାକୁ କୋର୍ଟ ବିଡିଏ ଓ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୧୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।