ନୂଆଦିଲ୍ଲୀ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସହିତ ଆଲୋଚନା କରାଯାଇଛି । ରାଜ୍ୟରେ ଗୃହ ବିଭାଗରେ ଖାଲିଥିବା ୧୨,୦୦୦ ପଦବୀ ପୂରଣ ହେବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ତୃତୀୟ ଦିବସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୁଧବାର ନର୍ଥ କ୍ଲବରେ ଆୟୋଜିତ ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ସେହିପରି ରାଜ୍ୟର ଟ୍ରାଫିକ୍ ସମସ୍ୟା, ସାଇବର ଅପରାଧ, ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ମାଓ ମୁକାବିଲା ନେଇ ଆଲୋଚନା ହୋଇଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ତିନୋଟି ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସୁରକ୍ଷା ଅଧିନିୟମ ଅନ୍ୟ ରାଜ୍ୟ ସହିତ ଓଡ଼ିଶାରେ ଲାଗୁ କରାଗଲା । ଗୋଟିଏ ପଟେ ନୂତନ ନିୟମ ଆସିବା ସହିତ ଓଡ଼ିଶାରେ ନୂତନ ସରକାର ଆସିଲା । ତେଣୁ ତିନୋଟି ନିୟମ ରାଜ୍ୟ ସରକାର ଲାଗୁ କରିବାକୁ ଯାଉଥିବାରୁ ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ତାକୁ ଆଗକୁ ନେବାକୁ ଯାଉଛନ୍ତି । ଗତ ସରକାରରେ ଗୃହ ବିଭାଗରେ ନିଯୁକ୍ତିରେ କମି ଥିଲା । ବର୍ତ୍ତମାନର ସରକାର ତ୍ୱରିତ ଭାବରେ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗରେ ପାଖାପାଖି ଖାଲି ଥିବା ୧୨,୦୦୦ ପଦବୀ ପୂରଣ ହେବାକୁ ଯାଉଥିବା ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ (OSSF)ରେ ୩୦୦୩ ଜଣଙ୍କୁ ନିଯୁକ୍ତି ଦେବା ସହିତ ଫୋର୍ସ ଗଠନ ହେବ । ସେହିପରି ଓଡ଼ିଶା ଇଣ୍ଡଷ୍ଟ୍ରୀ ସିକ୍ୟୁରିଟି ଫୋର୍ସରେ ୩୦୦୦, ଟ୍ରାଫିକରେ ୨୦୦୦, ହୋମଗାର୍ଡରେ ୫୦୦୦, ପ୍ରୋସିକ୍ୟୁସନ୍ କ୍ୟାର୍ଡର୍ ରେ ୨୬୭, ଫରେନସିକ୍ ବିଭାଗରେ ୨୫୪ ଟି ସହିତ ଅନ୍ୟାନ୍ୟ ପଦବୀ ପୂରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଲୋକଙ୍କୁ ସଠିକ ସମୟରେ ତ୍ୱରିତ ନ୍ୟାୟ ଦେବାକୁ ଚେଷ୍ଟା କରିବୁ ।
ସେହିପରି ସଡ଼କ ଦୁର୍ଘଟଣାକୁ ରୋକିବାକୁ ସ୍ୱତନ୍ତ୍ର ଟ୍ରାଫିକ୍ ଭର୍ଟିକାଲ ସ୍ଥାପନା କରିବାକୁ ପ୍ରସ୍ତାବ ଦିଆଯିବ । ୨୦ଟି ସାଇବର ଥାନା ପ୍ରତିଷ୍ଠା କରାଯିବା ସହିତ କ୍ରାଇମ ସିନ୍ ଅଫିସର୍ ପଦବୀ ସୃଷ୍ଟି କରି ସେମାନଙ୍କୁ ସ୍ୱତନ୍ତ୍ରତା ପ୍ରଦାନ କରାଯାଉଛି । ସେହିପରି ଉପଖଣ୍ଡଗୁଡ଼ିକରେ ଅତ୍ୟାଧୁନିକ ବାହାନ ବ୍ୟବସ୍ଥା କରାଯାଉଛି । ଏହା ଦ୍ୱାରା ସାଇବର ଅପରାଧ ସହିତ ଜଟିଳ ଅପରାଧରେ ସୁଧାର ଆଣିବାକୁ ଚେଷ୍ଟା କରାଯାଉଛି । ପ୍ରତ୍ୟେକ ଅପରାଧ ମାମଲାକୁ ତୁରନ୍ତ କିପରି ସମାଧାନ କରାଯିବା କେନ୍ଦ୍ର ଗୃହ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିରେ ସଫଳତା ମିଳିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ତେବେ ଆଜିର ବୈଠକରେ ମାଓବାଦୀ ସମ୍ପର୍କରେ ବିଶେଷ କରି ଆଲୋଚନା ହୋଇ ନାହିଁ । ରାଜ୍ୟରେ ନକ୍ସଲ ପ୍ରଭାବ କମିଥିବାବେଳେ ମାତ୍ର ୧୦ଟି ଜିଲ୍ଲାରେ ନକ୍ସଲ ପ୍ରଭାବିତ ରହିଛି । ଗତ ଜାନୁୟାରୀ ମାସରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ସହଯୋଗରେ ପ୍ରାୟ ୧୭ରୁ ୨୦ ଜଣଙ୍କୁ ଏନକାଉଣ୍ଟର କରାଯାଇଛି ଏବଂ ବହୁତ ଆତ୍ମ ସମର୍ପଣ କରିଛନ୍ତି । ବହୁତ ଶୀଘ୍ର ଓଡ଼ିଶାରେ ନକ୍ସଲ ପ୍ରଭାବ କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।