ଆଜି ଛାତ୍ରମାନଙ୍କ ପକ୍ଷରୁ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଆଜି ଛାତ୍ର ସଙ୍ଘର କର୍ମକର୍ତ୍ତାମାନେ ପୁରୁଣା ବସଷ୍ଟାଣ୍ଡ ଛକରେ ପିକେଟିଂ କରୁଛନ୍ତି । ବନ୍ଦ ଡାକରା ଯୋଗୁଁ ଆଜି ସହରର ଦୋକାନ ବଜାର ବନ୍ଦ ରହିଥିଲା ବେଳେ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଝାରସୁଗୁଡା ଜିଲ୍ଲାରେ ଗୋଟିଏ ସରକାରୀ ମହାବିଦ୍ୟାଳୟ ନାହିଁ କିମ୍ବା ପିଜି ପାଠ୍ୟକ୍ରମ ଆରମ୍ଭ ହୋଇନାହିଁ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ କୌଣସି ବ୍ୟବସ୍ଥା କରୁନାହାଁନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳସ୍ଥିତ ଲଖନପୁର ବ୍ଲକରେ ଡିଗ୍ରୀ କଲେଜ ଖୋଳିବା ସହ ସର୍ବପୁରାତନ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ ଘୋଷଣା, ଇଂଜିନିୟରିଂ ସ୍କୁଲକୁ କଲେଜର ମାନ୍ୟତା ଭଳି ୭ ଦଫା ଦାବିରେ ଛାତ୍ର ସାମୁଖ୍ୟ ପକ୍ଷରୁ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।