ସନ ରାଇଜର୍ସ ହାଇଦ୍ରାବାଦ ଏକ ଅବିଶ୍ୱସନୀୟ ରନ ଚେଜ କରିବା ସହ ମୁମ୍ବାଇ ଇଂଡିଆନ୍ସ ଚଳିତ ଆଇପିଏଲର ପ୍ଲେଅଫ୍ସ ଦୌଡରୁ ବାଦ ପଡିଛି । ଗୋଟିଏ ପଟେ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଜିତି ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ପହଁଚିଥିବାବେଳେ ଅନ୍ୟପଟେ ମୁମ୍ବାଇ ଇଂଡିଆନ୍ସ ପ୍ରଥମ ଟିମ ଯିଏ ଚଳିତ ଆଇପିଏଲରୁ ଏଲିମିନେଟ ହୋଇଛି । ୧୬୬ ରନର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ମାତ୍ର ୯.୪ ଓଭରରେ ନିର୍ଧାରିତ ଲକ୍ଷ୍ୟକୁ ହାସଲ କରିଛି । ଅଭିଶେଖ ଶର୍ମା ଓ ଟ୍ରାଭୀଷ ହେଡ଼ ଅର୍ଦ୍ଧଶତକୀୟ ଇନିଂସ ଖେଳି ଲକ୍ଷ୍ନୌକୁ ୧୦ ୱିକେଟ୍ ରେ ପରାସ୍ତ କରିଛନ୍ତି ।
ହାଇଦ୍ରାବାଦର ଘରୋଇ ମୈଦାନରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଲକ୍ଷ୍ନୌ । କୁଇଂଟନ ଡି କକ୍ ୨ ରନ କରି ମ୍ୟାଚର ୩ୟ ଓଭରରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ । ପରେ ଷ୍ଟୋଇନିସ ପଞ୍ଚମ ଓଭରରେ ୫ ରନରେ ନିଜ ୱିକେଟ୍ ହରାଇଥିଲେ । ଅଧିନାୟକ ରାହୁଲ ମନ୍ଥର ଗତିରେ ବ୍ୟାଟିଂ କରିବା ସହ ୩୩ ବଲରେ ୨୯ ରନ କରି କମିନ୍ସଙ୍କ ଶିକାର ହୋଇଥିଲେ । ରାହୁଲ ଆଉଟ ହେବାର କିଛି ସମୟ ପରେ କୄନାଲ ପାଣ୍ଡ୍ୟା ରନ ଆଉଟ ହୋଇଥିଲେ । ପରେ ନିକୋଲାସ ପୁରନ ଏବଂ ଆୟୁଷ ବଦୋନିଙ୍କ ୯୯ ରନର ସହଭାଗିତାରେ ଦଳୀୟ ସ୍କୋର ୧୬୫ ରନରେ ପହଞ୍ଚିଥିଲା । ଆୟୁଷ ବଦୋନି ଅପରାଜିତ ରହି ୫୫ ରନ କରିଥିଲେ ଏବଂ ନିକୋଲାସ ପୁରନ ୪୮ ରନ କରିଥିଲେ । ଦ୍ଵିତୀୟ ଇନିଂସରେ ଅଭିଶେଖ ଶର୍ମା ଓ ଟ୍ରାଭୀଷ ହେଡ଼ ବିସ୍ଫୋଟକ ଆରମ୍ଭ କରି ପାୱାରପ୍ଲେରେ ହିଁ ୧୦୭ ରନ ସଂଗ୍ରହ କରିଥିଲେ । ୯.୪ ଓଭରରେ ୧୬୭ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲେ । ଆଇପିଏଲ ଇତିହାସର ଏହା ଦ୍ରୁତତମ ରନ ଚେଜ । ଏହି ରନ ଚେଜରେ ଅଭିଶେଖ ଶର୍ମା ୨୮ ବଲରେ ୭୫ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୮ ଟି ଚୌକା ଓ ୬ ଟି ଛକ୍କା ସାମିଲ ଥିଲା । ଟ୍ରାଭୀଷ ହେଡ଼ ମଧ୍ୟ ୮ ଟି ଚୌକା ଓ ୮ ଟି ଛକ୍କା ସହ ୩୦ ବଲରେ ୮୯ ରନ ସଂଗ୍ରହ କରିଥିଲେ ।
ଅଧିକ ପଢନ୍ତୁ : ରାଜୀବ ଗାନ୍ଧୀ ଷ୍ଟାଡିୟମରେ ହେବ ପ୍ଲେ ଅଫ୍ସ ପାଇଁ ଲଢେଇ