ନୂଆଦିଲ୍ଲୀ: ଇରାନ୍ର ହେଲିକପ୍ଟର ଦୁର୍ଘଟଣା ନେଇ ଦୁଖଦ ଖବର ଆସିଛି। ଏହି ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ(୬୩)ଙ୍କ ମୃତ୍ୟୁ ହୋଇଛି। ଇରାନ ଷ୍ଟେଟ୍ ମିଡିଆ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ରଇସୀଙ୍କ ବ୍ୟତୀତ ବିଦେଶ ମନ୍ତ୍ରୀ ହୁସେନ ଅମୀର ଅବ୍ଦୁଲ୍ଲାହିୟନ, ପୂର୍ବ ଅଜରବୈଜାନ ରାଜ୍ୟର ଗଭର୍ଣ୍ଣର ମାଲେକ ରହମତୀ ଓ ଆଧ୍ୟାତ୍ମିକ ତୋ ମହମ୍ମଦ ଅଲୀ ଆଲେ-ହାଶେମଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ୪ ଜଣ ଗୋଟିଏ ହେଲିକପ୍ଟରରେ ଥିଲେ। ଇରାନର ଏକ ଟିଭି ଚ୍ୟାନେଲରେ ପୋଷ୍ଟ ହୋଇଛି ଯେ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଚିହ୍ନଟ ହୋଇଛି। ହେଲିକପ୍ଟରରୁ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନାହିଁ।
ଇରାନର ଏକ ଟିଭି ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗଁ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଉଦ୍ଧାରକାରୀ ଟିମ ରାଷ୍ଟ୍ରପତିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଅଂଶବିଶେଷ ଚିହ୍ନିଥିଲେ। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା।
ରଇସୀ ଇରାନର ପୂର୍ବ ଅଜରବୈଜାନ ରାଜ୍ୟକୁ ଗସ୍ତ କରିଥିଲେ। ଏହି ଘଟଣା ଇରାନର ରାଜଧାନୀ ତେହରାନ ଠାରୁ ପାଖାପାଖି ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଜୋଲ୍ଫା ସହର ନିକଟରେ ହୋଇଛି। ସାଥିରେ ତିନିଟି ହେଲିକପ୍ଟର ମଧ୍ୟ ଥିଲା ଏବଂ ସେଥିରୁ ୨ଟି ବିନା କୌଣସି ସମସ୍ୟାରେ ଫେରିଆସିଥିଲା।
ଖରାପ ପାଗ ଯୋଗୁଁ ଇରାନୀ ରେଡ କ୍ରିସେଣ୍ଟ ସୋସାଇଟିର ଉଦ୍ଧାରକାରୀ ଟିମ୍ ପାଇଁ ସେହି କ୍ଷେତ୍ର ପର୍ଯ୍ୟନ୍ତ ଯାଇପାରି ନଥିଲେ। ଅପରେଶନ ପାଇଁ ଡ୍ରେନ୍ ମଧ୍ୟ ପଠାଯାଇଥିଲା। ରଇସୀ ମେ’ ୧୯ ତାରିଖ ସକାଳ ଅଜରବୈଜାନର ରାଷ୍ଟ୍ରପତି ଇଲ୍ହାମ ଅଲୀୟେବଙ୍କ ସହିତ ଏକ ବନ୍ଧ ଉଦ୍ଘାଟନ କରିବାକୁ ଅଜରବୈଜନା ଯାଇଥିଲେ। ଅରାସ ନଦୀ ଉପରେ ନିର୍ମିତ ଏହା ହେଉଛି ତୃତୀୟ ବନ୍ଧ, ଯାହାକୁ ଉଭୟ ଦେଶ ନିର୍ମାଣ କରିଛନ୍ତି।