ଆସନ୍ତାକାଲି ଦ୍ଵିତୀୟ ଟି-୨୦: ପଡ଼ିଆକୁ ଓହ୍ଲାଇ ପାରନ୍ତି ଚହଲ-କୁଲଦୀପ ଯୋଡ଼ି
Khabar Odisha:sports--cricket--odisha-india-vs-new-zealand-2nd-t20-auckland-ind-vs-nz-2nd-t20i
ଅକଲାଣ୍ଡ, ଜାନୁଆରୀ ୨୫(ଖବର ଓଡ଼ିଶା):

 ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ଅପରାହ୍ନ ୧୨ଟା ୨୦ ମିନିଟରେ ଆରମ୍ଭ ହେବ। ଦ୍ଵିତୀୟ ମୁକାବିଲାରେ ଦଳରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି, ଯଦି ବି କିଛି ପରିବର୍ତ୍ତନ ହୁଏ ତେବେ ବୋଲିଂ ବିଭାଗରେ କରାଯାଇପାରେ।

ଯଶପ୍ରୀତ ବୁମରା ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଉଭୟ ଦଳ ମଧ୍ୟରେ ଏକ ମାତ୍ର ବୋଲର ଥିଲେ, ଯିଏ ଓଭର ପିଛା ୮ରୁ କମ ରନ ଦେଇଥିଲେ। ମହମ୍ମଦ ସାମି ୫୩ ରନ ବ୍ୟୟ କରି ଗୋଟିଏ ହେଲେ କୌଣସି ଓ୍ଵିକେଟ୍ ପାଇନଥିଲେ ଏବଂ ଶାର୍ଦ୍ଦୁଳ ଠାକୁର ୪୪ ରନ ଦେଇ ମାତ୍ର ଗୋଟିଏ ଓ୍ଵିକେଟ୍ ନେଇଥିଲେ। 

ଶାର୍ଦ୍ଦୁଳଙ୍କ ହୋଇପାରେ ଛୁଟି

ମହମ୍ମଦ ସାମିଙ୍କ ଚୂଡ଼ାନ୍ତ ଏକାଦଶରେ ରହିବାର ଆଶା ରହିଛି ଏଥିପାଇଁ କାରଣ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇପାରେ। କିନ୍ତୁ ସାଇନି ନିଜର ଅତିରିକ୍ତ ଗତି କାରଣରୁ ଏହି ଛୋଟ ପଡ଼ିଆରେ ମହଙ୍ଗା ସାବ୍ୟସ୍ତ ହୋଇ ପାରନ୍ତି। ତେଣୁ ସେ ମଧ୍ୟ ଦଳରେ ସାମିଲ ହେବା ନେଇ କିଛିଟା ଦ୍ଵନ୍ଦ୍ଵ ରହିଛି। ଯଦି ଭାରତ ତିନି ଦ୍ରୁତ ବୋଲର ଓ ଦୁଇ ସ୍ପିନରଙ୍କୁ ଖେଳାଏ ତେବେ କୁଲଦୀପ ଯାଦବଙ୍କୁ ଦଳରେ ୟୁଜବେନ୍ଦ୍ର ଚହଲ ଓ ରବିନ୍ଦ୍ର  ଜାଡ଼େଜାଙ୍କ ସହିତ ସାମିଲ କରିପାରେ। 

ଭାରତ ପାଖରେ ଓ୍ଵାଶିଂଟନ ସୁନ୍ଦରଙ୍କ ଭାବେ ଦ୍ଵିତୀୟ ସ୍ପିନ ବିକଳ୍ପ ରହିଛି। ଯଦି ଭାରତ ଅତିରିକ୍ତ ସ୍ପିନରଙ୍କୁ ପଡ଼ିଆକୁ ଓହ୍ଲାଏ ତେବେ ଅଲରାଉଣ୍ଡର ଶିବମ ଦୁବେ ତୃତୀୟ ଦ୍ରୁତ ବୋଲର ବିକଳ୍ପ ହୋଇ ପାରନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ମ୍ୟାଚରେ ଜାଡ଼େଜା ଓ ଚହଲ ଭଲ ପ୍ରଦର୍ଶନ କରିଥିଲେ ଏବଂ ଉଭୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ବ୍ୟତୀତ ଚହଲ ଓ କୁଲଦୀପ ୨୦୧୯ ବିଶ୍ଵ କପ ସମାପ୍ତ ହେବା ପରଠୁ ଏକ ସଙ୍ଗେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି। 

ଦଳରେ ବ୍ୟାଟିଂ ବିଭାଗ ସନ୍ତୁଳିତ ରହିଛି। ଚାପରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେୟସ ଆୟର ୨୯ ବଲରୁ ଅପରାଜିତ ୫୮ ରନର ପାଳି ଖେଳି ନିଜର ଚତୁର୍ଥ ସ୍ଥାନ ମଜବୁତ କରିଛନ୍ତି। ଲୋକେଶ ରାହୁଲ ଓ୍ଵିକେଟ୍ କିପିଂ ଦାୟିତ୍ଵ ସହିତ ମନୀଷ ପାଣ୍ଡେ ଓ ଶିବମ ଦୁବେ ମ୍ୟାଚ୍ ଫିନିସ୍ କରିବାର ଦାୟିତ୍ଵ ନିଭାଉଥିବାରୁ ଭାରତର ଟି-୨୦ ବ୍ୟାଟିଂ ଲାଇନ୍ ଅପ ସନ୍ତୁଳିତ ଲାଗୁଛି।

ନ୍ୟୁଜିଲାଣ୍ଡକୁ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ପଡ଼ିଆରେ ମିଳୁଥିବା ସୁଯୋଗର ସଦୁପଯୋଗ କରିବାକୁ ପଡ଼ିବ। କାରଣ ପ୍ରଥମ ମ୍ୟାଚରେ ଦଳ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବାର ସୁଯୋଗ ହାତଛଡ଼ା କରିଥିଲା, ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଥିଲା। ଭାରତୀୟ ବ୍ୟାଟସମ୍ୟାନଙ୍କୁ ଚାପରେ ରଖିବାକୁ ହେଲେ ଘରୋଇ ଦଳକୁ ଆହୁରି ରନ କରିବାକୁ ପଡ଼ିବ।  

ଦଳ

ଭାରତ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଲୋକେଶ ରାହୁଲ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର।

ନ୍ୟୁଜିଲାଣ୍ଡ- ମାର୍ଟିନ ଗୁପଟିଲ, କୋଲିନ ମୁନରୋ, କେନ୍ ଓ୍ଵିଲିୟମ ସନ(ଅଧିନାୟକ), ଟିମ୍ ସେଇଫର୍ଟ(ଓ୍ଵିକେଟ୍ କିପର), ରସ୍ ଟେଲର, କୋଲିନ ଡି ଗ୍ରାଣ୍ଡହୋମ, ଡାର୍ଲି ମିଚେଲ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଇସ ସୋଢ଼ି, ବ୍ଲେୟାର ଟିକନର, ସ୍କଟ କୁଗେଲେଜିନ, ହାମିସ ବେନେଟ୍।

Subscribe

National International State Sports Entertainment