UNDER 19 WORLD CUP: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ବାଂଲାଦେଶ, ଭାରତ ସହ ଟାଇଟଲ ମୁକାବିଲା
Khabar Odisha:sports--cricket--odisha--under-19-world-cup-semfinal-match-bangladesh-beat-new-zealand-to-enter-finals
ପୋଚେସ୍ତ୍ର, ଫେବୃଆରୀ୦୬(ଖବର ଓଡ଼ିଶା):

ବଂଲାଦେଶ ମହମୁଦୁଲ ହସନ ଜୟ(୧୦୦)ଙ୍କ ସହାୟତାରେ ଗୁରୁବାର ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରି ଆଇସିସି ୧୯ ବର୍ଷରୁ କମ ବିଶ୍ଵକପର ଫାଇନାଲରେ ପ୍ରବେଶ କରିଛି। ଏବେ ଟାଇଟଲ ମୁକାବିଲା ପାଇଁ ୪ ଥର ବିଶ୍ଵ ଚମ୍ପିଆନ ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଖେଳାଯିବ।  

ଭାରତ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୧୧ ରନ କରିଥିଲା। ଜବାବରେ ବାଂଲାଦେଶ ୪୪.୧ ଓଭରରେ ୪ ଓ୍ଵିକେଟ୍  ହରାଇ ଲକ୍ଷ୍ୟ ହାସଲ କରି ନେଇଛି। 

ଭାରତୀୟ ଦଳ କ୍ରମାଗତ ତୃତୀୟ ଥର ୧୯ ବର୍ଷରୁ କମ ବିଶ୍ଵ କପ ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଦଳ ଚାରି ଥର ଚମ୍ପିଆନ ହୋଇ ସାରିଛି ଏବଂ ଡିଫେଣ୍ଡିଂ ଚମ୍ପିଆନ। ଅନ୍ୟପକ୍ଷେ ବାଂଲାଦେଶ ପ୍ରଥମ ଥର ୧୯ ବର୍ଷରୁ କମ ବିଶ୍ଵ କପ ଫାଇନାଲରେ ପ୍ରବେଶ କରିଛି। 

ବାଂଲାଦେଶ ପାଇଁ ମହମୁଦୁଲ ୧୨୭ ବଲରୁ ୧୩ ଚୌକା ଜରିଆରେ ୧୦୦ ରନ କରିଥିଲେ। ବାଂଲାଦେଶର ଆରମ୍ଭ ସେତେଟା ଭଲ ନଥିଲା। ଦଳ ୩୨ ରନ ସ୍କୋରରେ ୨ଟି ଓ୍ଵିକେଟ୍ ହରାଇଥିଲା। ମାତ୍ର ମହମୁଦୁଲ ତୌହିଦ(୪୦)ଙ୍କ ସହ ପାଳି ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୬୮ ରନ କରିଥିଲେ। ଏହା ପରେ ସହାଦୂତ ହୁସେନ ଅପରାଜିତ ୪୦ ରନ(ଅପରାଜିତ)ଙ୍କ ସହିତ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୧ ରନ ଭାଗିଦାରୀ କରିଥିଲେ। ମହମୁଦୁଲ ଦଳୀୟ ସ୍କୋର ୨୦୧ରେ ଚତୁର୍ଥ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। 

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବେକହାମ ହ୍ଵିଲର-ଗ୍ରୀନଓ୍ଵାଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୮ ଓ୍ଵିକେଟ୍ ବିନିମୟରେ ୨୧୧ ରନ କରିଥିଲା। ବେକହାମ ଅପରାଜିତ ୭୫ ରନ କରି ଦଳ ପକ୍ଷରୁ ସର୍ବାଧିକ ରନ କରିଥିଲେ। ସେ ୮୩ ବଲର ସମ୍ମୁଖୀନ ହୋଇ ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ତାଙ୍କ ବ୍ୟତୀତ ନିକୋଲାସ ଲିଡଷ୍ଟୋନ ୭୪ ବଲରେ ଦୁଇଟି ଚୌକାରୁ ୪୪ ରନ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇବା ପରେ ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ନଥିଲା। ଦ୍ଵିତୀୟ ଓଭରରେ ଦଳ ଓ୍ଵିକେଟ୍ ହରାଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଫଳରେ ନ୍ୟୁଜିଲାଣ୍ଡ ଇନିଂସରେ କୌଣସି ଓ୍ଵିକେଟରେ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା। ବାଂଲାଦେଶ ପାଇଁ ସୋରିଫୁଲ ଇସଲାମ ଦମଦାର ବୋଲିଂ କରି ୧୦ ଓଭରରେ ୪୫ ରନ ଦେଇ ତିନୋଟି ଓ୍ଵିକେଟ୍ ନେଇଥିଲେ।

Subscribe

National International State Sports Entertainment