ମହିଳା ପ୍ରିମିୟର ଲିଗର ୩ୟ ମ୍ୟାଚରେ ୨ୟ ବିଜୟ ହାସଲ କରିଛି ମୁମ୍ବାଇ ଇଂଡିଆନ୍ସ । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ୫ ୱିକେଟ୍ ରେ ବିଜୟ ହାସଲ କରିଛି ହର୍ମନପ୍ରୀତଙ୍କ ଦଳ । ଆମେଲୀଆ କେରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଫଳରେ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ରବିବାର ମୁମ୍ବାଇ ଇଂଡିଆନ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ଚାଲିଥିବା ମୁକାବିଲାରେ ଟସ ଜିତି ବୋଲିଂର ନିର୍ଣ୍ଣୟ ନେଇଥିଲା ମୁମ୍ବାଇ । ବ୍ୟାଟିଂ କରିବାକୁ ଆସିଥିବା ଗୁଜୁରାଟ ଜାଏଣ୍ଟସର ଅଧିନାୟକ ବେଥ ମୁନି ୨୨ଟି ବଲ ଖେଳି ୨୪ ରନ ସଂଗ୍ରହ କରିଥିବାବେଳେ କ୍ୟାଥରିନ ବ୍ରାଇସ ୨୫ ଓ ତନୁଜା କନୱର ୨୮ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଇଂଡିଆନ୍ସ ବୋଲରଙ୍କ ଚମତ୍କାର ବୋଲିଂ ବଳରେ ଗୁଜୁରାଟ ଜାଏଣ୍ଟସ ୧୨୬ ରନରେ ସୀମିତ ରହିଥିଲା । ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ଆମେଲୀଆ କେର ସର୍ବାଧିକ ୪ଟି ୱିକେଟ୍ ନେଇଥିଲାବେଳେ ସବନମ ଇସ୍ମାଇଲ ୩ଟି ଓ ନ୍ୟାଟ ସିଭର ବ୍ରଂଟ ଓ ହେଲି ମ୍ୟାଥୱେସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ମୁମ୍ବାଇର ଦୁଇ ଓପନର ୭ ରନ କରି ୱିକେଟ୍ ହରାଇଥିବାବେଳେ ଅଧିନାୟକ ହର୍ମନପ୍ରୀତ କୌର ଅପରାଜିତା ରହି ୪୬ ରନର ପାରି ଖେଳିଥିଲେ । ନ୍ୟାଟ ସିଭର ବ୍ରଂଟ ୧୮ ବଲରେ ୨୨ ରନ ସଂଗ୍ରହ କରିଥିବାବେଳେ ଆମେଲୀଆ କେର ୩୧ ରନ ସଂଗ୍ରହ କରିଥିଲେ । ଅଲ ରାଉଣ୍ଡିଙ୍ଗ ପ୍ରଦର୍ଶନ ଫଳରେ ଆମେଲୀଆ କେରଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘେଷଣା କରାଯାଇଥିଲା ।
ମହିଳା ପ୍ରିମିୟର ଲିଗର ଚତୁର୍ଥ ମ୍ୟାଚ ଆଜି ୟୁପି ୱାରୀଅର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବାଙ୍ଗାଲୋରରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
ଅଧିକ ପଢନ୍ତୁ : ୟୁପିକୁ ହରାଇ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର