ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଯାଇ ବାଂଲାଦେଶକୁ ମିଛ ସମର୍ଥନ ଦେଉଥିବା ପାକିସ୍ତାନ ମୁହଁ ଟାଣ ଭାଙ୍ଗିଛି । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱ କପରେ ପାକିସ୍ତାନ କ୍ରିକେଟ୍ ଦଳ ଅଂଶ ଗ୍ରହଣ କରିବ ବୋଲି ଖବର ପ୍ରକାଶ ପାଇଛି । ଏଥିପାଇଁ ଦଳ ଫେବ୍ରୁଆରୀ ୨ ରୁ ଶ୍ରୀଲଙ୍କା ଗସ୍ତ କରିବାର ସମ୍ଭାବନା ରହିଛି । ତେବେ ଏ ବାବଦରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କୌଣସି ଆନୁଷ୍ଠାନିକ ସୂଚନା ଜାରି କରିନାହିଁ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଫେବ୍ରୁଆରୀ ୨ ସକାଳେ ପାକିସ୍ତାନ ବିଶ୍ୱକପ୍ ଦଳ କଲମ୍ବୋ ଯିବା ପାଇଁ ପିସିବି ସମସ୍ତ ଯାତ୍ରା ବ୍ୟବସ୍ଥା କରିସାରିଛି। ଭାରତରେ ଖେଳିବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର "ସୁରକ୍ଷା ଚିନ୍ତା" ପ୍ରତି ପିସିବି ପୂର୍ଣ୍ଣ ସମର୍ଥନ କରିଛି । କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦରେ ନିଜର ସ୍ଥିତିକୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହିଁ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ, ପିସିବି ଏବଂ ଆଇସିସି ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମଧ୍ୟ ହୋଇଛି । ଯାହା ଅନୁଯାୟୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଭାରତ-ପାକିସ୍ତାନ ମ୍ୟାଚ୍ ୨୦୨୭ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଖେଳାଯିବ। ଅର୍ଥାତ୍ ଆଗାମୀ ବିଶ୍ୱକପରେ ପାକିସ୍ତାନର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଯଦି ଦଳ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ମଧ୍ୟ ସେଠାରେ ଖେଳାଯିବ ।
ଆସନ୍ତାକାଲି ପିସିବି ଆନୁଷ୍ଠାନିକ ଭାବରେ ନିଜର ଅଂଶଗ୍ରହଣକୁ ନିଶ୍ଚିତ କରିପାରେ । ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟି ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନ କ୍ରିକେଟର ସ୍ଥିର ଓ ଦୃଢ଼ ଭବିଷ୍ୟତ ଆଇସିସି ଏବଂ ଅନ୍ୟାନ୍ୟ ସଦସ୍ୟ ବୋର୍ଡ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉପରେ ଧ୍ୟାନ ଦେଇ ସମସ୍ତ ନିଷ୍ପତ୍ତି ନିଆଯିବ ।
ବାଂଲାଦେଶ ଟିମ୍ ଭାରତ ଆସିବାକୁ ମନା କରିବା ପରେ ଏବଂ ବିଶ୍ୱକପରୁ ଓହରିବା ପରେ ତା ସ୍ଥାନରେ ଯୋଗ୍ୟତା ଅନୁଯାୟୀ ଆଇସିସି ସ୍କଟଲ୍ୟାଣ୍ଡକୁ ଖେଳିବାକୁ ଅନୁମତି ଦେଇଛି । ବାଂଲାଦେଶ ସ୍ଥାନରେ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ଖେଳିବ ।