ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବେ ରାଷ୍ଟ୍ରୀୟ କ୍ରୀଡା ପ୍ରଶାସନ ବିଧେୟକର ଅଂଶ ବିଶେଷ ହେବ । ବିସିିସିଆଇ ସରକାରଙ୍କଠୁ କୌଣସି ପ୍ରକାରର ଆର୍ଥିକ ସହାୟତା ନିର୍ଭର କରେ ନାହିଁ । ମାତ୍ର ବୋର୍ଡକୁ ଏବେ ପ୍ରସ୍ତାବିତ ନ୍ୟାସନାଲ ସ୍ପୋର୍ଟ୍ସ ବୋର୍ଡରୁ ମାନ୍ୟତା ନେବାକୁ ପଡିବ । କ୍ରୀଡା ମନ୍ତ୍ରଣାଳୟର ସୂତ୍ର ଅନୁସାରେ ବିସିସିଆଇ ଏବେ ରାଷ୍ଟ୍ରୀୟ କ୍ରୀଡା ବିଧେୟକର ପରିଧିରେ ଆସିବ । ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ସାମିଲ ହେବା ପରେ ଏହା ଆଶା କରାଯାଉଥିଲା ।
ଭାରତରେ କ୍ରୀଡାର ଢାଞ୍ଚାକୁ ଉନ୍ନତ କରିବା ପାଇଁ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ବିଧେୟକର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହା ଲାଗୁ ହେବା ସହିତ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ଭାବେ ବିସିସିଆଇକୁ ଏହାର ଅନ୍ତର୍ଗତରେ ଆସିବାକୁ ପଡିପାରେ । ପିଟିଆଇ ସୂତ୍ର ଅନୁଯାୟୀ, ବିସିସିଆଇ ଅନ୍ୟ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(ଏନଏସଏଫ) ପରି ସ୍ୱାୟତ୍ତ ରହିବ । ମାତ୍ର କୌଣସି ବିବାଦର ସମାଧାନ ରାଷ୍ଟ୍ରୀୟ କ୍ରୀଡା ପ୍ରଶାସନ କରିବ । ଏହି ବିଧେୟକର ଅର୍ଥ କୌଣସି ବି ଏନଏସଫ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ବରଂ ସରକାର ସୁଶାସନ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
୨୦୧୯ ସୁଦ୍ଧା ବିସିିସିଆଇକୁ ଏନଏସଫ ରୂପେ ମାନ୍ୟତା ନ ଥିଲା । ବୋର୍ଡ ୨୦୨୦ରେ ସୂଚନା ଅଧିକାର ନିୟମ ପରିଧିରେ ଆସିଥିଲା । ଏହି ନୂଆ ବିଧେୟକରେ ବିସିସିଆଇକୁ ସାମିଲ କରାଯିବା ପରେ କ୍ରିକେଟ୍ ବୋର୍ଡ କ୍ରୀଡା ମନ୍ତ୍ରଣାଳୟର ସମସ୍ତ ନିୟମ ଓ ନିର୍ଦ୍ଦେଶର ପରିଧିରେ ଆସିଯିବ । ଏହା ଦେଖିବାକୁ ପଡିବ ଯେ, ଲୋଧା କମିଟିଙ୍କ ସୁପାରିଶ ଆଗକୁ ଲାଗୁ ରହିବ କି ନୁହେଁ ।
ଅନେକ ବିଫଳ ପ୍ରୟାସ ପରେ ଶେଷରେ ଏହି ଡ୍ରାପ୍ଟ ପ୍ରସ୍ତୁତ କରାଯାଇଛି । ଏହାର ଉଦ୍ଦେଶ୍ୟ ଖେଳାଳିଙ୍କ ଅଧିକାରର ରକ୍ଷା କରିବା ଓ କ୍ରୀଡା ଜଗତରେ ବିବାଦ ମୁକ୍ତ ବାତାବରଣ ସୃଷ୍ଟି କରିବା । ଏଥିରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ଦାବିଦାର ଆହୁରି ବଳିଷ୍ଠ ହେବ ।