ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରେ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ସିରିଜ୍ରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ୍ ପାଇଁ ଘରୋଇ ଦଳ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ୮ ବର୍ଷ ପରେ ସ୍ପିନର ଲିୟାମ ଡାସନଙ୍କ ଭାଗ୍ୟ ଚମକିଛି। ଏହି ବୋଲରଙ୍କୁ ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଆହତ ଶୋଏବ ବସିରଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି। ବଶିର ଆହତ ସତ୍ତ୍ଵେ ବି ଲର୍ଡ୍ସରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ।
ଆୟୋଜକ ଇଂଲଣ୍ଡ ମାଞ୍ଚେଷ୍ଟର ଟେଷ୍ଟ ପାଇଁ ନିଜର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ୩୫ ବର୍ଷୀୟ ଡାସନ ନିଜ କ୍ୟାରିୟରରେ ମୋଟ୍ ତିନୋଟି ଟେଷ୍ଟ ଖେଳି ସାତ ଓ୍ଵିକେଟ୍ ନେଇଥିଲେ। ଇଂଲଣ୍ଡ ପାଇଁ ସେ ଶେଷ ଥର ୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏହି ସ୍ପିନର ଇଂଲଣ୍ଡ ପକ୍ଷରୁ ଛଅଟି ଦିନିକିଆ ଓ ୧୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୯ ଇଂଲଣ୍ଡର ଦିନିକିଆ ବିଶ୍ଵକପ୍ ଦଳର ସଦସ୍ୟ ଥିଲେ। କିନ୍ତୁ ତାଙ୍କୁ ବିଶ୍ଵକପ୍ରେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା।
ଡାସନ ଅଧିକ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନ ଥିଲେ ବି ଗତ କିଛି ବର୍ଷ ହେବ ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୨୧୨ ଏହି କାରଣରୁ ଏହି ଅନୁଭବୀ ସ୍ପିନରଙ୍କୁ ଇଂଲଣ୍ଡ ନିଜ ଦଳରେ ସାମିଲ କରିଛି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଡାସନ ୩୭୧ ଓ୍ଵିକେଟ୍ ନେଇଛନ୍ତି। ନିମ୍ନ କ୍ରମରେ ମଧ୍ୟ ସେ ଜଣେ ଉପଯୋଗୀ ବ୍ୟାଟର। ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ହଜାର ୭୩୧ ରନ କରିଛନ୍ତି। ଏଥିରେ ୧୮ ଶତକ ସାମିଲ୍। ଡାସନଙ୍କ ପ୍ରତ୍ୟାବର୍ତ୍ତନ ଇଂଲଣ୍ଡର ନିମ୍ନ କ୍ରମକୁ ମଜବୁତ କରିଛି।
ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ
ଜ୍ୟାକ କ୍ରାଉଲି, ବେନ ଡକେଟ୍, ଓଲି ପୋପ, ଜୋ ରୁଟ୍, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜେମି ସ୍ମିଥ(ଓ୍ଵିକେଟ୍ କିପର), ଲିୟାମ ଡାସନ, କ୍ରିସ ଓ୍ଵକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର।