ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସ୍ଵାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଉଥିବା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଆଧାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧନଖଡ଼। ଏ ନେଇ ରାଷ୍ଟ୍ରପତିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସେ ମହାସଚିବଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଧନଖଡ଼ ସେହି ଦିନ ଇସ୍ତଫା ଦେଇଛନ୍ତି ଯେଉଁ ଦିନ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ କାର୍ଯ୍ୟ ସରିଛି।
ତିନି ବର୍ଷ ପୂର୍ବେ ଅଗଷ୍ଟ ୬ରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିଥିଲେ। ସେ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଉପରାଷ୍ଟ୍ରପତି ହେବା ପୂର୍ବରୁ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ଏହା ବାଦ୍ ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଥିଲେ। ଭିପି ସିଂ ଓ ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବୋଧିତ କରି ଲେଖିଥିବା ଚିଠିରେ ଧନଖଡ଼ କହିଛନ୍ତି, ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଭାରତର ଉପରାଷ୍ଟ୍ରପତି ପଦରୁ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଉଛି। ଆମର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭାବେ ପ୍ରାପ୍ତ ଅମୂଲ୍ୟ ଅନୁଭବ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଓ ସମର୍ଥନ ଅମୂଲ୍ୟ ରହିଛି। ମୁଁ ନିଜର କାର୍ଯ୍ୟକାଳ ସମୟରେ ତାଙ୍କଠୁ ବହୁତ କିଛି ଶିଖିଛି।
ଜଗଦୀପ ଏହା ମଧ୍ୟ ଲେଖିଛନ୍ତି, ମୋତେ ସଂସଦର ସମସ୍ତ ସଦସ୍ୟଙ୍କଠୁ ଯେଉଁ ସ୍ନେହ, ବିଶ୍ଵାସ ଓ ସମ୍ମାନ ମିଳିଛି ତାହା ଜୀବନସାରା ତାଙ୍କ ହୃଦୟରେ ସ୍ମୃତି ହୋଇ ରହିବ। ଏହି ମହତ୍ଵପୂର୍ଣ୍ଣ ଅବଧିରେ ଭାରତର ଆର୍ଥିକ ପ୍ରଗତି ଓ ଅଦ୍ଭୁତପୂର୍ବ ବିକାଶକୁ ଦେଖିବା ଏବଂ ସେଥିରେ ଅଂଶ ବିଶେଷ ହେବା ମୋ ପାଇଁ ସୌଭାଗ୍ୟ ଓ ସନ୍ତୁଷ୍ଟିର ବିଷୟ।