ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଠାରେ ଅବସ୍ଥିତ ବୈଷ୍ଣୋ ଦେବୀଙ୍କ ଯାତ୍ରା ରୁଟ୍ ରେ ଏକ ବଡ ଦୁର୍ଘଟଣା ଘଟିଛି। କଟରାରୁ ମାତା ବୈଷ୍ଣୋ ଦେବୀ ଯିବା ରାସ୍ତାରେ ବାଣଗଙ୍ଗା ନିକଟରେ ହଠାତ୍ ଭୂସ୍ଖଳନ ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ଭକ୍ତ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ, ମାତାଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ପାଦଚଲା ରାସ୍ତା ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ପଥରର ଭଗ୍ନାବଶେଷ ପଡ଼ିବା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାରି ଜଣ ଭକ୍ତ ଭଗ୍ନାବଶେଷରେ ଫସି ଯାଇଥିଲେ। ଆହତମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦେବା ନିମନ୍ତେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରଶାସନ ଦ୍ୱାରା ତୁରନ୍ତ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। କଟରାରୁ ବୈଷ୍ଣୋ ଦେବୀ ଯିବା ପାଇଁ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଯାତାୟାତରେ କରିଥାନ୍ତି। ଶ୍ରାବଣ ମାସ ସୋମବାର ହେତୁ ଆଜି ରାସ୍ତା ପ୍ରବଳ ଭିଡ ଥିଲା ହେଲେ ଏପରି ପରିସ୍ଥିତିରେ, ହଠାତ୍ ଭୂସ୍ଖଳନ ହେବା ଯାତ୍ରୀଙ୍କ ପାଇଁ ଭୟର କାରଣ ପାଲଟିଛି। ପାଣିପାଗ ବିଭାଗ ନିକଟରେ ଜମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଥିଲା । ଅନୁମାନ କରାଯାଉଛି ଯେ ଅନବରତ ବର୍ଷା ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଶ୍ରାଇନ୍ ବୋର୍ଡର ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଶୀଘ୍ର ରାସ୍ତା ଖୋଲିବାକୁ ପ୍ରୟାସ କରାଯାଉଛି। ପ୍ରଶାସନ ସୂଚନା ଅନୁଯାୟୀ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଯାତ୍ରୀମାନଙ୍କୁ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିବେଦନ କରାଯାଇଛି।