ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୧ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୨୧ ଯାଏଁ ଚାଲିବ । ଆଜି ପ୍ରଥମ ଦିନରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି । ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ଗୃହରେ ଅପରେସନ ସିନ୍ଦୂର ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଏସବୁ ଘଟୁଥିବା ସମୟରେ ପ୍ରଶ୍ନକାଳ ଚାଲିଥିଲା। ଲୋକସଭା ବାଚସ୍ପତି ବିରୋଧୀ ସାଂସଦମାନଙ୍କୁ ଚୁପ୍ ବସିବାକୁ କହିଥିଲେ, କିନ୍ତୁ ଯେତେବେଳେ ସେମାନେ ରାଜି ନ ହେଲେ,ଫଳରେ ଲୋକସଭା ବାଚସ୍ପତି ଗୃହର କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ଏହାପରେ ପୁଣି କାର୍ଯ୍ୟଧାର ଆରମ୍ଭ ହେବା ମାତ୍ରେ ବିରୋଧ ଦଳ ପୁଣିଥରେ ଲୋକସଭାରେ ହଟ୍ଟଗୋଳ କରି ସ୍ଲୋଗାନ୍ ଦେବାକୁ ଲାଗିଥିଲେ, ଯାହାଫଳରେ ଲୋକସଭାର କାର୍ଯ୍ୟକାଳକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ପୂର୍ବରୁ, ଲୋକସଭାରେ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭ୍ୟାସ ସମେତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ କରିଥିଲେ, ଯାହା ଫଳରେ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।