ମୁମ୍ବାଇ: କୋଚିରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନ ସୋମବାର ସକାଳେ ଅବତରଣ ସମୟରେ ଭାରସାମ୍ୟ ହରାଇଛି । ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ଏହି ସ୍ଥିତି ଉତ୍ପନ ହୋଇଛି । ଅବତରଣ ସମୟରେ ବିମାନ ଭାରସାମ୍ୟ ହରାଇ ରନୱେରୁ ବାହାରି ଯାଇଥିଲା । ଫଳରେ ବିମାନର ତିନୋଟି ଟାୱାର ଫାଟି ଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଖରାପ ପାଣିପାଗ କାରଣରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ବିମାନର ଇଞ୍ଜିନର ବି କ୍ଷତି ଘଟିଥିବା ଆଶଙ୍କା କରାଯାଉଛି । ତେବେ ଅବତରଣ ସଂପୂର୍ଣ୍ଣ ସୁରକ୍ଷିତ ଥିଲା । ଯାତ୍ରୀ ଓ କ୍ରୁ ସଦସ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି ।
ଏହି ମାମଲାରେ ଏୟାର ଇଣ୍ଡିଆ ପକ୍ଷରୁ ବୟାନ ଜାରି କରାଯାଇଛି । ଏୟାର ଲାଇନ୍ସ କହିଛି ଯେ, ୨୦୨୫ ଜୁଲାଇ ୨୧ରେ କୋଚିରୁ ଉଡାଣ ଭରି ମୁମ୍ବାଇ ଆସୁଥିବା ବିମାନ ଏଆଇ୨୭୪୪ ଅବତରଣ ସମୟରେ ରନୱେ ସ୍ଲିପ ହୋଇଥିଲା । ଏହା ପରେ ବିମାନର ଅବତରଣ ସୁରକ୍ଷିତ ରହିଛି । ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ଆରାମରେ ବିମାନରୁ ଓହ୍ଲାଇଥିଲେ । ବର୍ତ୍ତମାନ ବିମାନର ଯାଞ୍ଚ କରାଯାଉଛି । ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ଏହି ଘଟଣା କାରଣରୁ ବିମାନରେ କିଛି ସମୟ ଗତିବିଧି ବଢି ଯାଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ତରଫରୁ ଏମରଜେନ୍ସି ରେସପନ୍ସ ଟିମକୁ ମଧ୍ୟ ଡକାଯାଇଥିଲା । ଏହି ଘଟଣା ସକାଳ ପ୍ରାୟ ୯ଟା ୨୭ ମିନିଟରେ ଘଟିଥିଲା ।