ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ନେଇ ବଡ ଟିପ୍ପଣୀ କରିଛନ୍ତି । କୋର୍ଟ ସୋମବାର ଏକ ଶୁଣାଣି ସମୟରେ କହିଛନ୍ତି ଯେ, ଇଡି ତ ଏବେ ସବୁ ସୀମା ଲଙ୍ଘୁଛି । ଅପରାଧିକ ମାମଲାରେ ଅଭିଯୁକ୍ତଙ୍କୁ ପରାମର୍ଶ ଦେବା କାରଣରୁ ଇଡି କିଛି ଓକିଲଙ୍କୁ ସମନ ଜାରି କରିଥିଲା । ଏହି ମାମଲାରେ ଟିପ୍ପଣୀ କରି ଖଣ୍ଡପୀଠ କହିଛନ୍ତି, ଇଡି ନିଜର ସୀମା ଅତିକ୍ରମ କରୁଛି । ସୁପ୍ରିମକୋର୍ଟ କହିଛନ୍ତି, ଇଡି ପାଇଁ କିଛି ଗାଇଡଲାଇନ ବି ସ୍ଥିର ହେବା ଉଚିତ୍ । ପ୍ରଧାନ ବିଚାରପତି ବିଆର ଗବାଇ ଓ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ପୀଠ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଏହି ଟିପ୍ପଣୀ କରିଛନ୍ତି । ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି ଯେ, ଇଡିର ଏମିତି ମନୋଭାବ ଆଇନଗତ ପ୍ରକ୍ରିୟାର ସ୍ୱତନ୍ତ୍ରତାକୁ ପ୍ରଭାବିତ କରିବ ।
ଇଡି ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତାର ଓ ପ୍ରତାପ ବେଣୁଗୋପାଳଙ୍କୁ ସମନ ଜାରି କରିଥିଲା । ପ୍ରଧାନ ବିଚାରପତି ବିଆର ଗବାଇ ଇଡିର ସମନ ପଉରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଜଣେ ଓକିଲ ଏବଂ ତାଙ୍କ ମହକିଲଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି, ଏହା ଉପରେ କେମିତି ନୋଟିସ୍ ଜାରି କରାଯାଇ ପାରିବ । ଇଡି ନିଜର ସବୁ ସୀମା ପାର କରି ଦେଇଛି । ଇଡି ପାଇଁ ମଧ୍ୟ କିଛି ଗାଇଡଲାଇନ ତିଆରି ହେବା ଉଚିତ୍ । ଏମିତି ନୋଟିସ୍ ଜାରି କରାଯିବା ବରିଷ୍ଠ ଓକିଲଙ୍କ ପ୍ରାକ୍ଟିସ ଉପରେ ମଧ୍ୟ ପ୍ରଭାବ ପଡିପାରେ । ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଓ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ଏହି ମାମଲାକୁ ଉଚ୍ଚସ୍ତରରେ ଉଠାଯାଇଛି । ଏଜେନ୍ସିକୁ ଜଣାଇ ଦିଆଯାଇଛି ଯେ, ଆଇନଜୀବୀଙ୍କୁ କେବଳ ଆଇନଗତ ପରାମର୍ଶ ଦେବା ପାଇଁ ନୋଟିସ୍ ଜାରି ନ କରନ୍ତୁ ।
ତୁଷାର ମେହଟ୍ଟା କହିଛନ୍ତି, ଓକିଲଙ୍କୁ ଆଇନଗତ ପରାମର୍ଶ ଦେବା ପାଇଁ ସମନ ଜାରି କରାଯାଇ ପାରିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି, ଇଡିକୁ ବଦନାମ କରିବା ପାଇଁ ମନଗଢା କାହାଣୀ ମଧ୍ୟ କୁହାଯାଏ । ଓକିଲମାନେ କହିଛନ୍ତି, ଏହି ପରି ଇଡି ପକ୍ଷରୁ ନୋଟିସ୍ ଆସିବା ଭୁଲ୍ ପରମ୍ପରା ସୃଷ୍ଟି କରିବ । ଏମିତି ଜାରି ରହିଲେ ତ ଜଣେ ଓକିଲ ନିଜର ସଚ୍ଚୋଟତା ଓ ସ୍ୱାଧୀନତା ଭାବେ ରାୟ ଦେବାକୁ କୁଣ୍ଠାବୋଧ କରିବ । ଏହି ଚିନ୍ତାକୁ ଆଟର୍ଣ୍ଣି ଜେନେରାଲ ମଧ୍ୟ ଉଚିତ୍ ମଣିଛନ୍ତି ଏବଂ ଯାହା ବି ଘଟିଛି ତାହା ସଂପୂର୍ଣ୍ଣ ଭୁଲ୍ ।