ନୂଆଦିଲ୍ଲୀ: ଦେଶର ଉପରାଷ୍ଟ୍ରପତି ପଦରେ ଥିବା ଜଗଦୀପ ଧନଖଡ ସୋମବାର ଅଚାନକ ଇସ୍ତଫା ଦେଇ ସଭିଙ୍କୁ ଚକିତ କରିଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ୨୦୨୨ରେ ଉପରାଷ୍ଟ୍ରପତି ପଦରେ ଶପଥ ନେଇଥିବା ଧନଖଡ ନିଜ ପତ୍ରରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତତ୍କାଳ ପ୍ରଭାବରୁ ପଦ ଛାଡିଥିବା କହିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବୋଧିତ କରି ଲେଖିଥିବା ଚିଠିରେ ଧନଖଡ଼ କହିଛନ୍ତି, ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଭାରତର ଉପରାଷ୍ଟ୍ରପତି ପଦରୁ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଉଛି। ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଆଧାରରେ ନିଜ ପଦ ଛାଡୁଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦେଶର ଉପରାଷ୍ଟ୍ରପତି ସଂସଦର ଉଚ୍ଚସଦନ ରାଜ୍ୟସଭାର ଅଧ୍ୟକ୍ଷ ପଦ ସମ୍ଭାଳି ଥାଆନ୍ତି । ତେଣୁ ଏହି ପଦର ମହତ୍ୱ ଅଧିକ ବଢିଯାଏ । ଧନଖଡଙ୍କ ଇସ୍ତଫା ସହ ଦେଶର ଉପରାଷ୍ଟ୍ରପତି ପଦ ବର୍ତ୍ତମାନ ଖାଲି ରହିଛି । ଦେଶର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା । ତାଙ୍କ ପଦ ଛାଡିବା ସହ ପରବର୍ତ୍ତୀ ଉପରାଷ୍ଟ୍ରପତି ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ଭାରତ ସରକାରଙ୍କ ମୁତାବକ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କରାଯିବା ଉଚିତ୍ । ମୃତ୍ୟୁ, ଇସ୍ତଫା କିମ୍ବା ବହିଷ୍କୃତ ହେଲେ ଖାଲି ପଦ ଭରିବା ପାଇଁ ଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ କରାଯିବାର ପ୍ରାବଧାନ ରହିଛି ।
କିଏ ହୋଇ ପାରିବ ଭାରତର ଉପରାଷ୍ଟ୍ରପତି ?
ସମ୍ବିଧାନ ଅନୁସାରେ କୌଣସି ବି ବ୍ୟକ୍ତି ଯିଏ ନିମ୍ନୋକ୍ତ ଯୋଗ୍ୟତାକୁ ପୂରା କରିଥାଏ ସେ ଭାରତର ଉପରାଷ୍ଟ୍ରପତି ହୋଇ ପାରିବ ।
୧ – ଭାରତର ନାଗରିକ ହୋଇଥିବା ଦରକାର ।
୨ – ବୟସ ୩୫ ବର୍ଷ ପୂରଣ ହୋଇ ସାରିଥିବ ।
୩ – ରାଜ୍ୟସଭାର ସଦସ୍ୟ ଭାବେ ନିର୍ବାଚିତ ହେବା ପାଇଁ ଯୋଗ୍ୟ ହୋଇଥିବ ।
୪ – କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା କୌଣସି ସାର୍ବଜନୀନ କ୍ଷେତ୍ରରେ ଲାଭଜନକ ପଦରେ ନ ଥିବେ ।
ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ଅଗଷ୍ଟ ୬ରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିଥିଲେ। ସେ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଉପରାଷ୍ଟ୍ରପତି ହେବା ପୂର୍ବରୁ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ଏହା ବାଦ୍ ସେ ୧୯୮୯ରୁ ୧୯୯୧ ପର୍ୟ୍ୟନ୍ତ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଥିଲେ। ଭିପି ସିଂ ଓ ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।